ଭୁବନେଶ୍ୱର ୨୪/୫ : ନବୀନଙ୍କ ୩୩ ପ୍ରତିଶତ ମହିଳା ସଂରକ୍ଷଣ କାର୍ଡ ଏକ ପ୍ରକାର ସଫଳ ହେବାକୁ ଯାଉଛି । ବିଜେଡ଼ିର ଏକାକୀ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ବିଜୟୀ ହୋଇ ନ ଥିଲେ ମଧ୍ୟ ସମଗ୍ର ଭାବେ ୩୩ ପ୍ରତିଶତ ମହିଳା ଏଥର ସଂସଦରେ ପାଦ ରଖିବେ । ଅର୍ଥାତ ଓଡ଼ିଶାର ୨୧ ଲୋକସଭା ଆସନରୁ ୭ ଜଣ ମହିଳା ପ୍ରାର୍ଥୀ ଜୟଯୁକ୍ତ ହୋଇଛନ୍ତି ।
ବିଜେଡ଼ିରୁ ପ୍ରମିଳା ବିଶୋୟୀ (ଆସ୍କା), ମଞ୍ଜୁଲତା ମଣ୍ଡଳ (ଭଦ୍ରକ), ରାଜଶ୍ରୀ ମଲ୍ଲିକ୍(ଜଗତସିଂହପୁର), ସର୍ମିଷ୍ଠା ସେଠୀ (ଯାଜପୁର) ଓ ଚନ୍ଦ୍ରାଣୀ ମୁର୍ମୁ (କେଉଁଝର) ବିଜୟୀ ହୋଇଛନ୍ତି । ସେହିପରି ଭୁବନେଶ୍ୱର ପାଇଁ ଲଢ଼ୁଥିବା ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ ବଲାଙ୍ଗୀରୁ ସଙ୍ଗୀତା ସିଂହଦେଓ ଲୋକସଭାକୁ ବିଜୟୀ ହୋଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତ ନିର୍ବାଚନରେ ୨୧ଟି ଲୋକସଭା ଆସନରୁ ୧୨ଟି ଆସନରେ ଶାସକ ଦଳ ବିଜେଡ଼ିକୁ ମିଳିଥିବା ବେଳେ ୭ଟି ଆସନରେ ବିଜେପି ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଛନ୍ତି । ସେହିପରି ଗତ ନିର୍ବାଚନରେ ଆଦୌ ଖାତା ଖୋଲିପାରି ନ ଥିବା କଂଗ୍ରେସକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।