ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କର ବଦଳିକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି।
ସାମୁଦ୍ରିକ ଝଡ ଅମ୍ଫାନର ଓଡିଶା ଉପକୂଳ ଜିଲ୍ଲାଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବା ଦୃଷ୍ଟିରୁ ଧଳଙ୍କର ବଦଳିକୁ ସ୍ଥଗିତ ରଖା ଯାଇଛି ବୋଲି ସରକାର କହିଛନ୍ତି।
ଗତ ମେ ୧୩ ତାରିଖରେ ରାଜ୍ୟ ସରକାର ଅଚାନକ ୧୯୯୩ ବ୍ୟାଚର ଏହି ଆଇଏଏସ ଅଫିସରଙ୍କର ବଦଳି କରି ଦେଇଥିଲେ। ରାଜ୍ୟ କରୋନା ମହାମାରୀ ସହ ସଂଗ୍ରାମ କଲାବେଳେ ଅଚାନକ ସ୍ୱାସ୍ଥ୍ୟ ସଚିବଙ୍କ ବଦଳି ଉଚ୍ଚ ଅଫିସର ମହଲରେ ଆଲୋଡନ ସୃଷ୍ଟି କରିଥିଲା।
ସରକାର ମାତ୍ର କିଛି ମାସ ତଳେ ଧଳଙ୍କୁ ସ୍ୱାସ୍ଥ୍ୟ ସଚିବ ଭାବେ ଆଣି ସେହି ସ୍ଥାନରେ ଥିବା ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ବଦଳି କରିଥିଲେ।
ସରକାର ଧଳଙ୍କୁ ମାତ୍ର କେଇ ମାସ ପରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ବଦଳି କରିଥିବା ବେଳେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ବଦଳି କରିଥିଲା।
ବର୍ତମାନ ରାଜ୍ୟ ସରକାର ଧଳ ଓ ସେଠୀଙ୍କ ବଦଳିକୁ ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।