ପୁରୀ ୨୬/୧୧ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଖୁବ୍ ଶୀଘ୍ର ଟିକେଟ୍ ବ୍ୟବସ୍ଥା ଆରମ୍ଭ ହେବ । ଯେଉଁମାନେ ଭିତରକାଠ ନିକଟରୁ ତିନି ଠାକୁରଙ୍କ ଦର୍ଶନ କରିବେ ସେମାନଙ୍କୁ ଟିକେଟ୍ କିଣିବାକୁ ପଡ଼ିବ । ସୋମବାର ପୁରୀରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ନିଷ୍ପତି ଅନୁଯାୟୀ ୬୦ ପ୍ରତିଶତ ଟିକେଟ୍ ଅନ୍ଲାଇନ୍ରେ ଉପଲବ୍ଧ ହେବ । ୩୫ ପ୍ରତିଶତ ଟିକେଟ୍ କାଉଂଟରରେ ବିକ୍ରି ହେବା ବେଳେ ୫ ପ୍ରତିଶତ ଟିକେଟ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ରହିବ । ଅବକାଶ, ବଲ୍ଲଭ ଓ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହେବ ।
ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଏଣିକି ହୁଣ୍ଡିରୁ ମିଳୁଥିବା ଅର୍ଥକୁ ଲକରରେ ରଖାନଯାଇ ଗୋଲ୍ଡ ମନିଟାଇଜେସନ୍ ସ୍କିମ୍ରେ ରଖାଯିବ । ଫଳରେ ଏହି ଅର୍ଥ ଉପରେ ସୁଧ ମିଳିପାରିବ ।
ଗୋବର୍ଦ୍ଧନ ମଠକୁ ଜମି ହସ୍ତାନ୍ତର ପାଇଁ ବୈଠକରେ ନିଷ୍ପତି ହୋଇଛି । ଏହି ନିଷ୍ପତି ଅନୁଯାୟୀ ମଠକୁ ୪ ଏକର ୯ ଡେସିମିଲି ଜାଗା ଫେରାଇ ଦିଆଯିବ ।
ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ଜଣ ସେବାୟତଙ୍କୁ ନୋଟିସ୍ ଜାରି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣ ହାଜର ହୋଇ ସେମାନଙ୍କ ପକ୍ଷ ରଖିଛନ୍ତି । ଅନ୍ୟମାନେ ଯଦି ୧୫ ଦିନ ମଧ୍ୟରେ ହାଜର ନହେବେ ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ବୈଠକରେ ୮ଟି ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇଥିଲା ।