ରାଜନୀତି

ଲଗାତର ପଂଚମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ନବୀନ

Published

on

ଭୁବନେଶ୍ୱର ୨୫/୫ : ଲଗାତର ପଂଚମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ନବୀନ । ଦୀର୍ଘ ୧୯ ବର୍ଷ କ୍ଷମତାରେ ରହିବା ପରେ ବି ମଳିନ ପଡିନି ନବୀନଙ୍କ କ୍ରେଜ୍ । ପୁଣିଥରେ ନବୀନ ଓ ତାଙ୍କ ଦଳ ବିଜେଡିକୁ ଅଜଶ୍ର ଆଶୀର୍ବାଦ ଅଜାଡି ଦେଇଛି ଓଡିଶା । ଏଥିସହ ଲଗାତର ପଂଚମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ । ୨୦୧୯ ନିର୍ବାଚନରେ ପୁଣିଥରେ ରାଜ୍ୟରେ ଓଡିଶାବାସୀଙ୍କ ଆସ୍ଥା ଭାଜନ ହୋଇପାରିଛି ନବୀନଙ୍କ ବିଜୁ ଜନତା ଦଳ । ମୋଦି ମ୍ୟାଜିକକୁ ପ୍ରତିହତ କରି ଏକାକୀ ପ୍ରଚାରର ମଙ୍ଗ ଧରିଥିିବା ନବୀନ, ଦଳ ପାଇଁ ଆଣିଦେଇଛନ୍ତି ଏକତରଫା ବିଜୟ । ଆଉ ୧୯ ମହାଯୁଦ୍ଧର ଫଳାଫଳରେ କେନ୍ଦ୍ରୀୟ ରାଜନୀତି ଶିବିରକୁ ମଧ୍ୟ ଆଚମ୍ବିତ କରିଛନ୍ତି ।
ବର୍ତମାନ ପର‌୍ୟ୍ୟନ୍ତ ନବୀନଙ୍କ ତୁଳନାରେ ଅରୁଣାଚଳରେ ଗେଗଙ୍ଗ ଅପାଙ୍ଗ, ମିଜୋରାମରେ ଲାଲ ଥାନୱାଲା, ହିମାଚଳରେ ବୀରଭଦ୍ର ସିଂ ଓ ତ୍ରିପୁରାରେ ମାଣିକ ସରକାର ଅଧିକ ସମୟ ପର‌୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ରେକର୍ଡ କରିଛନ୍ତି । ହେଲେ ୧୯୯୪ରୁ ସିକିମରେ କ୍ଷମତାରେ ରହିଆସିଥିବା ମୁଖ୍ୟମନ୍ତ୍ରୀ ପବନ ଚାମଲିଙ୍ଗଙ୍କ ଦଳ ଏସଡିଏଫ ହାତରୁ କ୍ଷମତା ଛଡାଇ ନେଇଛି ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା । ଫଳରେ ୨୪ ବର୍ଷରେ ସୀମିତ ରହିଯାଇଛି ଏସଡିଏଫ ମୁଖ୍ୟ ପବନ ଚାମଲିଙ୍ଗଙ୍କ ମୁଖ୍ୟମନ୍ତ୍ରୀତ୍ୱ । ପଶ୍ଚିମବଙ୍ଗରେ ୨୩ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ ବୁଦ୍ଧଦେବ ଭଟ୍ଟାଚାର‌୍ୟ୍ୟ । ଓଡିଶାରେ ନବୀନ ତାଙ୍କ ପଂଚମ ଟର୍ମ ପୁରାକଲେ ଏସବୁ ରେକର୍ଡକୁ ଭାଙ୍ଗିଦେବେ ।
ସବୁଠାରୁ ବଡକଥା ହେଉଛି ୨୦୧୭ ପଂଚାୟତ ନିର୍ବାଚନ ଫଳାଫଳ ରାଜ୍ୟବାସୀଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । ସାଧାରଣ ନିର୍ବାଚନେ ବିଜେଡି ଆଉ ସରକାର ଗଢିବାକୁ ସଂଖ୍ୟା ପାଇବ କି ନା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବିଜେଡି ଛାଡି ବିଜେପିରେ ଯୋଗ ଦେଉଥିବା ତୁଙ୍ଗନେତା ବିଜେଡି ବିରୋଧୀ ସ୍ୱରକୁ ଆହୁରି ତୀବ୍ର କରିଥିଲେ । ହେଲେ ପଂଚାୟତ ନିର୍ବାଚନ ଫଳାଫଳକୁ ନବୀନ କେବଳ ଗମ୍ଭୀର ଭାବେ ଗ୍ରହଣ କଲେ ତାହାନୁହେଁ, ବରଂ ନିଜ ଭାବମୂର୍ତି ସଜାଡିବାକୁ ଅନେକ କୌଶଳ ମଧ୍ୟ ଆପଣାଇଥିଲେ । ଯାହାର ପରିଣାମ ଇଭିଏମରେ ଭୋଟ୍ ଗଣତିବେଳେ ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version