ମଧ୍ୟପ୍ରଦେଶ ୨୦/୫ : ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ରାଜ୍ୟପାଳଙ୍କୁ ଚିଠି ଲେଖି ପୁଣିଥରେ ବିଧାନସଭା ଅଧିବେଶନ ଡାକିବାକୁ ଦାବି କରିଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀ କମଲନାଥ ପୁଣିଥରେ ନିଜର ବହୁମତ ସାବ୍ୟସ୍ତ କରିବାକୁ ଦାବି କରାଯାଇଛି । କାରଣ ଏବେ ଜନତାଙ୍କର ଭରସା କଂଗ୍ରେସ ଉପରୁ ଉଠିଯାଇଛି । ଏକଜିଟ୍ ପୋଲରେ ମଧ୍ୟ ଲୋକେ କଂଗ୍ରେସ ଠାରୁ ମୁହଁ ଫେରାଇ ନେଇ ବିଜେପିକୁ ଭୋଟ ଦେଇଛନ୍ତି ବୋଲି ଗୋପାଳ ଭାର୍ଗବ କହିଛନ୍ତି ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କମଲନାଥ କହିଥିଲେ, ଯଦି କଂଗ୍ରେସ ସରକାର ଭାଙ୍ଗିବା ପାଇଁ ବିଜେପି କୌଣସି ଷଡଯନ୍ତ୍ର କରୁଥାଏ ତେବେ ଏଥିରେ ସଫଳ ହେବ ନାହିଁ । ତେବେ ବିଜେପି ନେତା ବାରମ୍ବାର ସଂକେତ ଦେଇ ଆସିଛନ୍ତି ଯେ, ଯଦି କେନ୍ଦ୍ରରେ ପୁଣିଥରେ ମୋଦି ସରକାର ଆସେ ତେବେ ମଧ୍ୟପ୍ରଦେଶରୁ କଂଗ୍ରେସ ସରକାର ବିଦା ହେବା ଏକପ୍ରକାର ନିଶ୍ଚିତ ।
ବିଜେପି ନେତା କୈଳାଶ ବିଜୟବର୍ଗୀୟ ନିର୍ବାଚନ ଶେଷ ହେବା ପୂର୍ବରୁ ବଡ ସଂକେତ ଦେଇଥିଲେ । ମଧ୍ୟପ୍ରଦେଶରେ କଂଗ୍ରେସ ୨୨ ସିଟରେ ବିଜୟୀ ହେବା ନେଇ କମଲନାଥଙ୍କ ବୟାନ ଉପରେ କୈଳାଶ କହିଥିଲେ, ଲୋକସଭା ନିର୍ବାଚନ ପରେ କଂଗ୍ରେସ ୨୨ ଦିନ ସରକାରରେ ରହିବ କି ନାହିଁ ତାହା ସନ୍ଦେହ । ସେହିଭଳି ବିଜେପି ନେତ୍ରୀ ଉମା ଭାରତୀ ବିଜେପିକୁ ଟାର୍ଗେଟ କରିବାକୁ ଯାଇ କହିଥିଲେ, ବିଜେପି ନୁହେଁ ବରଂ କଂଗ୍ରେସ ସରକାରକୁ ତାଙ୍କ ଦଳର ନେତା ହିଁ ଭାଙ୍ଗିଦେବେ ।