ପାଟଣାଗଡ଼ ୭/୬ : ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଉଥିବାର ଭିଡିଓ ଭାଇରାଲ ହେବା ପରେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ଜେଇ ଜଣକ ଆଜି ଘରକୁ ଫେରିବା ପରେ ବିଧାୟକଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ରାସ୍ତା କାମର ମାନକୁ ନେଇ ପାଟଣାଗଡ଼ ବିଧାୟକ ଅଭିଯୋଗ ଆଣି ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ଯାଂଚ କରିଥିଲେ ।
କନିଷ୍ଠ ଯନ୍ତ୍ରୀଙ୍କ କହିବା ଅନୁସାରେ ସବୁ କିଛି ଠିକ ଥିବା ବେଳେ ବିଧାୟକ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ କନିଷ୍ଠ ଯନ୍ତ୍ରୀଙ୍କୁ ଚାପୁଡା ନମାରିଲେ ଲୋକେ ତାଙ୍କୁ ନିସ୍ତୁକ ପିଟିବେ ବୋଲି ଚେତାବନୀ ଦେଇଥିବା କହିଛନ୍ତି ଜେଇ । ଫଳରେ ବିଧାୟକଙ୍କ ଦାଦାଗିରିର ଆଉ ଏକ ରୁପ ସାମନାକୁ ଆସିଛି ।
ଗତକାଲି ସଂଧ୍ୟାରେ କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକ, ରାସ୍ତା ଉପରେ ଉଠବସ କରାଇବାର ଭିଜୁଆଲ ଭାଇରାଲ ହୋଇଥିଲା । ଏହା ପରେ ଜିଲ୍ଳାପାଳ ଉପଜିଲ୍ଳାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସେପଟେ ବିଧାୟକଙ୍କ ବିରୋଧରେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି ।