ଭୁବନେଶ୍ୱର ୩୦/୧୧ : ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ବିଜେପିରୁ ଶୁକ୍ରବାର ଦୁଇ ତୁଙ୍ଗ ନେତା ବିଜୟ ମହାପାତ୍ର ଓ ଦିଲୀପ ରାୟ ଇସ୍ତଫା ଦେଇଛନ୍ତି । ଫଳରେ ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ହଇଚଇ ସୃଷ୍ଟି ହୋଇଛି । ସେମାନେ କେଉଁ ଦଳକୁ ଯିବେ ଏବଂ ସେମାନଙ୍କର ଭବିଷ୍ୟତର ରଣନୀତି କ’ଣ ହେବ ସେଥିନେଇ ରାଜନୈତିକ ସ୍ତରରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ତେଣେ ଏହି ଦୁଇ ପ୍ରଭାବୀ ନେତା ଦଳ ଛାଡିଥିବାରୁ ରାଜ୍ୟରେ ବିଜେପିର ସ୍ଥିତି ନିଶ୍ଚୟ ବିପନ୍ନ ହେବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ଘୋଷଣା କରିବା ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସେ ଓ ଶ୍ରୀ ରାୟ ହଠାତ୍ କୋ÷ଣସି ଦଳରେ ଯୋଗ ଦେଉନାହାନ୍ତି ଏବଂ ୧୫ ଦିନ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତି ନେବେ । ଦିଲୀପ ରାୟ ଏବଂ ତାଙ୍କୁ ଏପର୍ଯ୍ୟନ୍ତ କୋ÷ଣସି ଦଳ ଡାକି ନାହାନ୍ତି । ଦିଲୀପ ଏବେ ୧୫ ଦିନ ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି । ସେଠାରୁ ଫେରିବା ପରେ ସେମାନେ ଦୁଇଜଣ ପରସ୍ପର ମଧ୍ୟ ଆଲୋଚନା କରି ଯାହା କିଛି ନିଷ୍ପତି ନେବେ ।
ବିଜୟ ମହାପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବାବେଳେ ଦିଲୀପ ରାୟ ଉଭୟ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ରାୟ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ମହାପାତ୍ର ଓ ଶ୍ରୀ ରାୟ ଗୋଟିଏ ଇସ୍ତଫା ପତ୍ରରେ ନିଜ ନିଜ ସ୍ୱାକ୍ଷର କରି ବିଜେପି ସଭାପତି ଅମିତ୍ ଶାହାଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେଥିରେ ସେମାନେ ଅଭିଯୋଗ କରିଛନ୍ତି ଯେ, ମହାନଦୀ ସମସ୍ୟାର ପ୍ରତିକାର, ବ୍ରାହ୍ମଣିରେ ଦ୍ୱିତୀୟ ସେତୁ ନିର୍ମାଣ ଓ ରାଉରକେଲାର ଆଇଜିଏଚ୍ ହସ୍ପିଟାଲର ଆଧୁନିକୀକରଣ ପାଇଁ ବିଜେପି ହାଇକମାଣ୍ଡଙ୍କ ପକ୍ଷରୁ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପାଳନ କରାଯାଇନାହିଁ । ଏହା ସେମାନଙ୍କୁ ବ୍ୟଥିତ କରିଛି । ସ୍ଥାନୀୟ ଲୋକମାନେ ମଧ୍ୟ ଏଥିନେଇ ଦଳ ଉପରେ ଖୁବ୍ ଅସନ୍ତୁଷ୍ଟ ହୋଇଛନ୍ତି ।
ସେ ୨୦୦୯ରେ ତରବରିଆ ଭାବେ ବିଜେପିରେ ମିଶିବା ନିଷ୍ପତି ଭୁଲ୍ ଥିଲା ବୋଲି ଶ୍ରୀ ବିଜୟ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ବିଜେପିର ମୁଖଶାଳା ବଡ଼, କିନ୍ତୁ ମନ୍ଦିର ଛୋଟ । ଓଡ଼ିଶା ପ୍ରତି ବିଜେପିର କେବେ ଆନ୍ତରିକତା ବା ନିଷ୍ଠା ନଥିଲା ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ମିଶନ ୧୨୦ ସମ୍ପର୍କରେ ବିଜେପିର ଆକଳନ ସମ୍ପୂର୍ଣ୍ଣ ଭୁଲ୍ ଥିଲା ।
ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବ ଓ ଆଇଜିଏଚ୍ର ଆଧୁନିକୀକରଣ ପାଇଁ କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଦିଲୀପ ରାୟ ଦଳ ଛାଡିବେ ବୋଲି ବାରମ୍ବାର କହି ଆସିଥିଲେ । ଶୁକ୍ରବାର ଇସ୍ତଫା ଦେବାବେଳେ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିପାରି ନଥିବାରୁ ସେ ରାଉରକେଲାବାସୀଙ୍କ ନିକଟରେ କ୍ଷମା ମାଗିଛନ୍ତି ।
ଅପରପକ୍ଷରେ ବିଜେପି କହିଛି ଯେ, ଶ୍ରୀ ମହାପାତ୍ର ଓ ଶ୍ରୀ ରାୟଙ୍କୁ ଦଳରେ କେବେ ଅଣଦେଖା କରାଯାଇନାହିଁ । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଉଭୟ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ଏହି ଦୁଇଜଣ କେବେବି ଦଳୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁନଥିଲେ । ଦଳର ଆଭ୍ୟନ୍ତରୀଣ ବିଷୟକୁ କ୍ରମାଗତଭାବେ ବାହାରେ ପ୍ରକାଶ କରିଚାଲିଥିଲେ । ଦୁହେଁ ଇସ୍ତଫା ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ବୋଲି ବିଜେପି ଉପ-ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।