ନୂଆଦିଲ୍ଲୀ ୬/୩ : ଏୟାର ଷ୍ଟ୍ରାଇକରେ କେତେ ଆତଙ୍କୀ ମରିଛନ୍ତି ତାର ପ୍ରମାଣ ଦେବାକୁ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କଠାରେ ଦାବି କରୁଛନ୍ତି। ଏହା ମଧ୍ୟରେ ବୁଧବାର ବାୟୁସେନା କେନ୍ଦ୍ର ସରକାରଙ୍କୁ ଏୟାର ଷ୍ଟ୍ରାଇକ ସହ ଜଡ଼ିତ ସମସ୍ତ ଦସ୍ତାବିଜ ପ୍ରଦାନ କରିଛନ୍ତି। ଏହି ପ୍ରମାଣରେ ସରକାରଙ୍କୁ ସମସ୍ତ ଫଟୋ ଦିଆଯାଇଛି ଏବଂ ଏହା ମଧ୍ୟ କୁହାଯାଇଛି ଯେ, କେଉଁ ଭଳି ତାଙ୍କର ନିଶାଣ ସଠିକ୍ ଲାଗିଛି।
ସୂତ୍ର ମୁତାବକ, ବାୟୁସେନା ସରକାରଙ୍କୁ ୧୨ ପୃଷ୍ଠା ବିଶିଷ୍ଟ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ବାୟୁସେନା ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକର ହାଇ ରିଜ୍ୟୁଲୁସନ ଫଟୋ ମଧ୍ୟ ହସ୍ତାନ୍ତର କରିଛି। ମାତ୍ର ଏହି ରିପୋର୍ଟ ସାର୍ବଜନୀନ କରାଯିବ କି ନାହିଁ ଏହାର ନିଷ୍ପତ୍ତି ମୋଦୀ ସରକାର କରିବେ।
ବାୟୁ ସେନାର ରିପୋର୍ଟ ଅନୁସାରେ ବାଲାକୋଟରେ ତାଙ୍କର ନିଶାଣ ୮୦ ପ୍ରତିଶତ ସଠିକ୍ ଲାଗିଛି। ଯେଉଁ ବୋମା ନିକ୍ଷେପ କରାଯାଇଥିଲା ତାହା ଆତଙ୍କୀ ବିଲ୍ଡିଂରେ ଯାଇ ଖସିଥିଲା। ଏହି କାରଣରୁ ଯାହାବି କ୍ଷତି ଘଟିଛି ସବୁ ଭିତର ପାର୍ଶ୍ଵରେ ହିଁ ହୋଇଛି। ଯେଉଁ ମିସାଇଲର ବ୍ୟବହାର କରାଯାଇଥିଲା, ତାହା ସିଧାସଳଖ ଛାତକୁ ଭେଦିଥିଲା ଏବଂ ସଠିକ୍ ଲକ୍ଷ୍ୟ ଭେଦରେ ଲାଗିଥିଲା। ବାୟୁସେନାର ଏହି ରିପୋର୍ଟ ଅନୁସାରେ ବାଲାକୋଟରେ ଯେଉଁ ସମୟରେ ଏହି ଏୟାର ଷ୍ଟ୍ରାଇକ ହେଲା, ସେଠାରେ ଥିବା ସବୁ ଟାର୍ଗେଟକୁ ଧ୍ଵଂସ କରାଯାଇଥିଲା।