ଝାରସୁଗୁଡା ୧/୩ : ଶୁଖାବନ୍ଧ ନିକଟରେ ଏକ ପୋଲିସ ଭ୍ୟାନ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମଣ୍ଡଲିଆ ହସ୍ପିଟାଲରେ ଭର୍ତି କରାଯାଇଛି ।
ସୂଚନାନୁସାରେ, ଆଜି ସକାଳେ ଏକ ପୋଲିସ ଭ୍ୟାନ ୨୫ରୁ ଅଧିକ ଯବାନଙ୍କୁ ନେଇ ବେଲପାହାଡ ଅଭିମୁଖେ ଯାଉଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଭ୍ୟାନକୁ ଧକ୍କା ଦେଇଥିଲା । ଫଳରେ ଭ୍ୟାନରେ ଥିବା ୨ଜଣ ଯବାନ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି । ଏହାସହ ୨୫ଜଣ ଯବାନ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି ।
ମୃତ ୨ ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ କୌଣସୀ ଯବାନଙ୍କ ଅଙ୍ଗ ନଷ୍ଟ ହୋଇଗଲେ ଲକ୍ଷେ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି ।