ଭୁବନେଶ୍ୱର ୨୨/୫ : ଫଳ ବାହାରିବାର ଗୋଟିଏ ପୂର୍ବରୁ ଏକ୍ଜିଟ୍ ପୋଲ ସର୍ଭେରୁ ମିଳିଥିବା ଆଭାସରୁ ବିଚଳିତ ହୋଇପଡ଼ିଛି କଂଗ୍ରେସ । ଏହାକୁ ନେଇ ଦଳ ବରିଷ୍ଠ ନେତାଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଗଲାଣି । କିଏ ପ୍ରାର୍ଥୀ ଚୟନରେ ତ୍ରୁଟି ତ ଆଉ କିଏ ରଣନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ଶେଷ ହେବା ଯାଏଁ ଦଳୀୟ କନ୍ଦଳ ବାରମ୍ବାର ସାମ୍ନାକୁ ଆସୁଛି । ଦଳ ନିର୍ବାଚନରେ ଖରାପ ପ୍ରଦର୍ଶନ କରିବା ଅଭିଯୋଗରେ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ।
ଜଗନ୍ନାଥ ପଟ୍ଟନାୟକ ପିସିସି ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଆମ ଦଳରେ ଯେଉଁ ସୁଯୋଗ ଥିଲା ତାହାକୁ ହାତ ଛଡ଼ା କରାଗଲା । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳରେ ଯେଉଁ ଉତ୍ସାହ ଓ ଉଦ୍ଦୀପନା ଥିଲା ତାହା ଫଳପ୍ରଦ ହେଲା ନାହିଁ । ତ୍ରୁଟି ପୂର୍ଣ୍ଣ ପ୍ରାର୍ଥୀ ଚୟନ ପ୍ରକ୍ରିୟା, ସମନ୍ୱୟର ଅଭାବ ଓ ରଣନୀତି ପାଇଁ ଦଳ ଜାଣିଶୁଣି ଖରାପ ପ୍ରଦର୍ଶନ କରିବାକୁ ଯାଉଛି । ରାଜ୍ୟ ନେତୃତ୍ୱ ପ୍ରଚାର କାର୍ୟ୍ୟ ଠିକ୍ରେ ମଧ୍ୟ କଲେ ନାହିଁ । ଏହି ଭୁଲକୁ ସ୍ୱୀକାର କରାଯାଉ ଏବଂ ସଂଶୋଧନ କରାଯାଉ । ଏହା ସହିତ ଯେଉଁମାନେ ଭୁଲ କରିଛନ୍ତି ସ୍ୱୀକାର କରନ୍ତୁ ।