Nation

ନେତାଜୀଙ୍କ ନାମରେ ହେବ କଟକ ଖାନନଗର ଅତ୍ୟାଧୁନିକ ବସ୍‌ ଟର୍ମିନାଲ

Published

on

ଭୁବନେଶ୍ବର : କଟକର ଖାନନଗର ଠାରେ ନେତାଜୀଙ୍କ ନାମରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ପ୍ରାୟ ୧୨ ଏକର ଜମିରେ ନିର୍ମାଣ ହେବାକୁ ଥିବା ବାସ ଟର୍ମିନାଲ ରେ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ।

ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟକାରୀ କରାଯିବ।

ସୂଚନାଯୋଗ୍ୟ ଯେ ଆଗାମୀ ଜାନୁଆରୀ ୨୩ ତାରିଖ ଦିନ ନେତାଜୀଙ୍କ ଜୟନ୍ତୀ ପାଳନ କରାଯିବ ଏବଂ ଚଳିତ ବର୍ଷ ସମଗ୍ର ଦେଶ ନେତାଜୀଙ୍କର ୧୨୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି। ଆମ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସେନାପତି ଓ ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକ ଓଡିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ଏବଂ କଟକରେ ବାଲ୍ୟ ଶିକ୍ଷା ଲାଭ କରିଥିଲେ।

ବାଦାମବାଡି ବସ୍‌ଷ୍ଟାଣ୍ଡ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ଖାନନଗରରେ ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲରେ ନେତାଜୀଙ୍କ ଜୀବନ ଓ ସଂଗ୍ରାମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏକ ସ୍ବତନ୍ତ୍ର Kiosk କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଆଦର୍ଶ ଓ ଜୀବନୀ ସଂପର୍କରେ ପ୍ରଚାର ପ୍ରସାର ପାଇଁ ବିଭିନ୍ନ Motif ଓ painting ରଖାଯିବ।

ଏହି ବସ୍‌ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏଥିରେ ଏକ ବୃହତ ଟର୍ମିନାଲ ବିଲ୍‌ଡିଂ, ସାଧାରଣ ଯାତ୍ରୀବାହୀ ବସ୍‌ ପାଇଁ ସ୍ଥାନ (Regular Bus Bay), ସ୍ଥାନୀୟ ଓ ମୋ ବସ୍‌ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍‌, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ୧ ଲକ୍ଷ ୧୮ ହଜାର ବର୍ଗ ଫୁଟରେ ଏଥିପାଇଁ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍‌ଡିଂ ନିର୍ମାଣ କରାଯାଇ ଏଥିରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, Cloak Room, ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ ମଧ୍ୟ ରଖାଯିବ। ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍‌ ପାର୍କିଂର ବ୍ୟବସ୍ଥା ରହିବ। ଯାତ୍ରୀମାନଙ୍କ ସୁବିଧା ପାଇଁ Integrated Information Management system ମଧ୍ୟ ରହିବ।
ଏହି ନିର୍ମାଣ ପାଇଁ କଟରର ରିଂଗ୍‌ ରୋଡକୁ ଆଉ ଦୁଇ କିଲୋମିଟର ସଂପ୍ରସାରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସଂଚାଳନା କରିଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସଂଜୀବ ଚୋପ୍ରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାତନ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ଏବଂ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନୀଲ ସାମଲ, କଟକ ଜିଲ୍ଲାପାଳ ଚଇନି ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଏହି ପ୍ରକଳ୍ପ ସଂପର୍କରେ ଉପସ୍ଥାପନା ରଖିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version