ପଶ୍ଚିମବଙ୍ଗ ୧୫/୫ : ସପ୍ତମ ତଥା ଅନ୍ତିମ ପର୍ୟ୍ୟାୟରେ ହେବାକୁ ଥିବା ୯ଟି ଲୋକସଭା ଆସନ ପାଇଁ ବିଜେପି ପୁରା ଦମ୍ ଲଗାଇଦେଇଥିବା ବେଳେ ମମତା ବାନାର୍ଜି ମଧ୍ୟ ଲାଗିପଡିଛନ୍ତି ବିଜେପିକୁ ରୋକିବା ପାଇଁ । ଗତକାଲିର ହିଂସା ଓ ଆଜି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସଭାସ୍ଥଳରେ ଭଙ୍ଗାରୁଜା ପରେ ବି ଯୋଗୀ ଆଦିତ୍ୟନାଥ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ।
ଭଙ୍ଗାରୁଜା ପରେ ଯୋଗୀଙ୍କ ରାଲି ବାତିଲ ହେବା ନେଇ ଖବର ଆସିଥିଲା କିନ୍ତୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କଡା ନିର୍ଦ୍ଦେଶ ଥିଲା ଯେ ଯାହାବି ହେଇଯାଉ ରାଲି ବାତିଲ ହେବନାହିଁ । ପଶ୍ଚିମବଙ୍ଗ ବାରାସାତରେ ରାଲି କରି ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଗୋଟିଏ ମିଛ ଲୁଚାଇବାକୁ ଯାଇ ଅନେକ ମିଛ କହୁଛନ୍ତି । ମମତା ସରକାରଙ୍କ ଅନ୍ତିମ ସମୟ ଆସୁଛି । ମମତା ସରକାର ରାଜ୍ୟ ଦଙ୍ଗା ପରିସ୍ଥିତି ସୃଷ୍ଟି କରୁଛନ୍ତି । ଟିଏମସି ସରକାରଙ୍କର ଏକ୍ସପାଏରୀ ତାରିଖ ଆସିଯାଇଥିବା ଯୋଗୀ ଆଦିତ୍ୟନାଥ କହିଛନ୍ତି ।
ସେପଟେ ଗତକାଲିର ହିଂସା ଘଟଣାକୁ ନେଇ ଟିଏମସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଶ୍ଚିମବଙ୍ଗ ହାୱଡାରେ ବିକ୍ଷୋଭ ପ୍ରଦର୍ଶନ କରିଛି ତୃଣମୂଳ କଂଗ୍ରେସ । ଶହ ଶହ ଟିଏମସି ସମର୍ଥକ ରାଜରାସ୍ତାକୁ ଓହ୍ଲାଇ ବିଜେପି ବିରୋଧରେ ନାରା ଦେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଭିନ୍ନ ବାମପନ୍ଥୀ ଦଳମାନେ ମଧ୍ୟ ହିଂସା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏସଡିଆଇ, ଏଆଇଏସଏଫ, ଏଆଇଏସଏ ଓ ଅନ୍ୟ ବାମପନ୍ଥୀ ଦଳଗୁଡିକ ପକ୍ଷରୁ ଆଜି କାଳଦିବସ ପାଳନ କରାଯାଉଛି ।