ଝାରସୁଗୁଡ଼ା ୨୪/୧ : କେନ୍ଦ୍ରର ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଆଜି ଝାରସୁଗୁଡ଼ାରେ ୬୧୮ କୋଟି ୬୬ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରି ସେ କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶାରୁ ବିପୁଳ ରାଜସ୍ୱ ସଂଗ୍ରହ କରୁଥିଲେ ହେଁ, ଓଡ଼ିଶାକୁ କୋ÷ଣସି ଆଖିଦୃଶିଆ ଆର୍ôଥକ ସହାୟତା ଦେଉନାହାନ୍ତି । ଝାରସୁଗୁଡ଼ାରେ ବିମାନବନ୍ଦର ଉଦଘାଟନ ହେଲା ସିନା କିନ୍ତୁ ସେଠାରୁ ବିମାନ ଉଡ଼ିପାରୁନାହିଁ । ଭୁବନେଶ୍ୱର ଓ ଝାରସୁଗୁଡ଼ା ମଧ୍ୟରେ ଶତାବ୍ଦୀ ଏକ୍ସପ୍ରେସ ଚଳାଚଳ ପାଇଁ ସେ କେନ୍ଦ୍ର ନିକଟରେ ଦାବି କରିଥିଲେ ହେଁ, ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ସ୍ଥାନୀୟ ଲୋକଙ୍କ ସହଯୋଗ ମିଳିଲେ ସେ ଝାରସୁଗୁଡ଼ାକୁ ଆଗେଇ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଓ ଲଖନଗୁର ବ୍ଲକରେ ୬ଟି ଉଠା ଜଳସେଚନ ପ୍ରକଳ୍ପ ଏବଂ ଝାରସୁଗୁଡ଼ା ଓ କିରିମିରା ବ୍ଲକରେ ୧୩ କୋଟି ଟଙ୍କା ବ୍ୟୟରେ ୨ଟି ୩୩/୧୧ କେଭି ଗ୍ରିଡ ସବଷ୍ଟେସନ ଉଦଘାଟନ କରିଥିଲେ । ଏହାଛଡ଼ା ୧୪୫ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଝାରସୁଗୁଡ଼ା କ୍ୟାନସର କେୟାର ହସ୍ପିଟାଲ ସହ ଅନ୍ୟକେତେକ ପ୍ରକଳ୍ପର ଶିଳାନ୍ୟାସ କରିଥିଳେ ।
ପରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଯାଇ ରାଜେନ୍ଦ୍ର କଲେଜ ପଡ଼ିଆରେ ବିଜୁ ଯୁବ ବାହିନୀ ଆଂଚଳିକ ସମାବେଶରେ ଉଦବୋଧନ ଦେଇଥିଲେ । ସେଠାରେ ସେ ମଧ୍ୟ ୧୬୮ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିବାବେଳେ ୯୪ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।