ନୂଆଦିଲ୍ଲୀ ୫/୬ : ଚଳିତ ଥର ପୁଣି ଥରେ ସଡକ ଓ ପରିବହନ ମନ୍ତ୍ରଣାଳୟ ନୀତିନ ଗଡକରିଙ୍କ ପାଖକୁ ଯାଇଛି । ପ୍ରତ୍ୟେକ ଥର ପରି ଏଥର ମଧ୍ୟ ଏକ ବଡ ଟାର୍ଗେଟ ରଖିଛନ୍ତି ଗଡକରି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ନୀତିନ ୧୨ ହଜାର କିମି ରାସ୍ତା ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହାସହ ପ୍ରତିଦିନ ୪୦ କିମି ରାସ୍ତା ନିର୍ମାଣ କରିବା ଲାଗି ଲକ୍ଷ ରଖାଯାଇଛି ।
ବର୍ତମାନ ସମୟରେ ୩୦ କିମିରୁ ଅଧିର ରାସ୍ତା କରାଯାଉଛି ହେଲେ ଆଗାମୀ ଦିନରେ ଏହାକୁ ବଢାଇବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି । ମୋଦିଙ୍କ ନେତୃତ୍ୱରେ ସାରା ଦେଶରେ କିପରି ଜାତୀୟ ରାଜପଥ ନିର୍ମାଣ ହେବ ତାହାକୁ ନେଇ ସମୀକ୍ଷା ସହ କାମର ଅଗ୍ରଗତି ସମ୍ପର୍କରେ ମଧ୍ୟ ଧ୍ୟାନ ରଖାଯାଇଛି । ଗଡକରୀ ଆହୁରି ମଧ୍ୟ କହିଛନ୍ତି ଯେ, ମତେ ପରିବହନ ସହ ଅନ୍ୟ ମନ୍ତ୍ରଣାଳୟର ମଧ୍ୟ ଦାୟିତ୍ୱ ମିଳିଛି । ତେଣୁ ମୋର ମୂଳ ଲକ୍ଷ୍ୟ ହେଲା ଦେଶରେ ରୋଜଗାର ବଢାଇବା ।
ରାସ୍ତା କାମ ଅଧିକରୁ ଅଧିକ ହେଲେ ଲୋକମାନଙ୍କୁ ରୋଜଗାର ମିଳିବ ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଉପକୃତ ହେବେ ବୋଲି ଗଡକରୀ କହିଛନ୍ତି । ଗଡକରୀ ନିଜ କାର୍ୟ୍ୟକାଳ ମଧ୍ୟରେ ସାରା ଦେଶରେ ଅନେକ ରାଜପଥ ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ତେବେ ପୁଣି ଥରେ ତାଙ୍କୁ ସେହି ମନ୍ତ୍ରଣାଳୟର ଦାୟିତ୍ୱ ମିଳିଥିବାରୁ ଆଗାମୀ ଦିନରେ ଅଧିକରୁ ଅଧିକ କାମ କରିବାରେ ସେ ସମୟ ଦେବେ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ରାସ୍ତା ନିର୍ମାଣ ହେଲେ ତାହା ନିକଟରେ ପେଟ୍ରୋଲ ପମ୍ପ ମଧ୍ୟ ନିର୍ମାଣ ହେବ । ତେଣୁ ଯୁବକଙ୍କ ରୋଜଗାର ମଧ୍ୟ ବଢିବ ବୋଲି ଗଡକରୀ କହିଛନ୍ତି ।