ପୁରୀ ୨୫/୧ : କାଳିଆ ଯୋଜନା ଓଡ଼ିଶା ଅର୍ଥନୀତିର ଏକ ମାଇଲ ଖୁଣ୍ଟି ହେବ । ଏହା ସାରା ଦେଶକୁ ନୂଆ ଦିଶା ଦେଖାଇବ । ଆଜି ପୁରୀରେ କାଳିଆ ଯୋଜନାର ବିଧିବଦ୍ଧ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କାଳିଆକୁ ଆଉ କେହି ଅଟକାଇ ପରିବେ ନାହିଁ । ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ଚାଉଳ ଓ ପନିପରିବା ମହାପ୍ରସାଦରେ ବ୍ୟବହାର କରାଯାଉଥିବାରୁ ଏହି ଯୋଜନାର ନାମ କାଳିଆ ରଖାଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ଅର୍ଥ ହସ୍ତାନ୍ତର ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ଚାଷୀମାନଙ୍କ ଆକାଉଣ୍ଟକୁ ୫ ହଜା ଟଙ୍କା ଲେଖାଏଁ ପଠାଯିବ । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ହିରତାଧିକାରୀ ଏହାଦ୍ୱାରା ଉପକୃତ ହେବ । ମୋଟ ରାଜ୍ୟର ୫୭ ଲକ୍ଷ ଚାଷୀ କାଳିଆ ଯୋଜନାର ଲାଭ ଉଠାଇପାରିବେ । ଚାଷୀମାନଙ୍କୁ ବିନା ସୁଧରେ ୫୦ ହଜା ଟଙ୍କା ଋଣ ପ୍ରଦାନ କରାଯିବ । ଏହାଛଡା ଚାଷୀମାନେ ମଧ୍ୟ ଦୁଇ ଲକ୍ଷ ଟଙ୍କାର ଫସଲ ବୀମା ଓ ଦୁଇ ଲକ୍ଷ ଟଙ୍କାର ଦୁର୍ଘଟରା ବୀମା ପାଇପାରିବେ । କୃଷି ପାଇଁ ପ୍ରୋତ୍ସାହନ ସ୍ୱରୂପ ଦୁଃସ୍ଥ ଚାଷୀମାନଙ୍କୁ ରବି ଓ ଖରିଫ ଋତୁରେ ୫ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇ ଦିଆଯିବ ।
ଆଜିର ସମାବେଶରେ ରାଜ୍ୟର ୩୧୪ ଟି ବ୍ଲକର ଲକ୍ଷାଧିକ ଚାଷୀ ଯୋଗ ଦେଇଥିଲେ । ବିଜେଡ଼ିର ଅନେକ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଆଗଧାଡ଼ିର ନେତା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଆଜି କାଳିଆ ସମାବେଶରେ ଯୋଗଦେବା ପୂର୍ବରୁ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିଥିଲେ ।