ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବେ କଂଗ୍ରେସ ନେତା କମଳ ନାଥଙ୍କ ଋଣ ଶୁଝୁଛନ୍ତି।
ତିନି ତିନି ଥର ମୁଖ୍ୟମନ୍ତ୍ରୀ ହେବା ପରେ ଯେତେବେଳ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉ ଯାଉ ରହିଗଲେ ଚୌହାନ ସେତେବେଳ ତାଙ୍କର ବଡ ଚିନ୍ତାଥିଲା ଯେ ତାଙ୍କୁ ସରକାରୀ ବଙ୍ଗଳା ତୁରନ୍ତ ଛାଡିବାକୁ ପଡିବ। ଦୀର୍ଘ ୧୫ ବର୍ଷ ଧରି ଯେଉଁ ଘରେ ସେ ରହି ଆସିଥିଲେ ତାର ମୋହ ଆଚାନକ ତୁଟାଇବା କଣ ସହଜ କଥା। ଯେଉଁ ଘରେ ସେ ଆଉ ୫ ବର୍ଷ ମୁଖ୍ୟମନ୍ତ୍ରୀ ହୋଇ ରହୁ ରହୁ ସୁଯୋଗ ହାରାଇଲେ ତାକୁ ଖାଲି କରିବା କଣ ଏତେ ସହଜ।
ଏକ ଚରମ ତିକ୍ତ ନିର୍ବାଚନ ଲଢେଇରେ ଜିତି ମୁଖ୍ୟମନ୍ତ୍ରୀ ହୋଇଥିବା କମଳ ନାଥ କଣ ତାଙ୍କୁ ସେ ସରକାରୀ ବଙ୍ଗଲରେ ରହି ବାକୁ ଦେବେ? ଚବିଶ ଘଣ୍ଟା ଭିତରେ ଖାଲି କରିବାକୁ ହୁକୁମ ଜାରି କରିବେ।
ଏହା ଆଶଙ୍କା କରି ଚୌହାନ ମୁଖ୍ୟମନ୍ତ୍ରୀ କୋଠି ଖାଲି କରିବାର ସମସ୍ତ ତିଆରି କରୁଥିଲେ।
ତେବେ ରାଜନୈତିକ ଦୃଷ୍ଟିରୁ ପରିପକ୍ଵ କମଳ ନାଥ କିନ୍ତୁ ରାଜନୀତିରେ ବ୍ୟକ୍ତିଗତ ପ୍ରତିଶୋଧକୁ ସ୍ଥାନ ଦେଇ ନଥିଲେ। ସେ ଚୌହାନଙ୍କୁ ନିଜ ଇଚ୍ଛା ମୁତାବକ ମୁଖ୍ୟମନ୍ତ୍ରୀ ବଙ୍ଗଳା ରଖିବାକୁ ସୁଯୋଗ ଦେଇଥିଲେ।
ଏବେ ଚୌହାନଙ୍କ ପାଳି ।
ଏକ ସାଙ୍ଘାତିକ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ମାତ୍ର ବର୍ଷକ ମଧ୍ୟରେ ଚୌହାନ କମଳ ନାଥଙ୍କୁ ହଟାଇ ପୁଣି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।
ହେଲେ ଚୌହାନ କମଳ ନାଥଙ୍କ ଋଣ ଭୁଲି ପାରି ନାହାନ୍ତି। ସେ କମଳ ନାଥଙ୍କୁ ମୁଖ୍ୟମନ୍ତ୍ରୀ କୋଠିରେ ରହିବକୁ ସୁଯୋଗ ଦେଇଛନ୍ତି ।