ନିମାପଡ଼ା ୨୮ ।୧୧ : ନିମାପଡ଼ା ଉପକାରାଗାରରେ ଥିବା ଜଣେ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ତାଙ୍କ ନାମ ଯୋଗେନ୍ଦ୍ର ଦାଶ । ଗତ ୧୪ ତାରିଖରେ ସେ ଗିରଫ ହୋଇ ଜେଲ୍ ଆସିଥିଲେ । ତେବେ ୧୫ ତାରିଖରେ ସେ ଅସୁସ୍ଥ ହେବାରୁ ତାଙ୍କୁ କଟକ ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଥିଲା । ବୁଧବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ମାଡ଼ରେ ଯୋଗେନ୍ଦ୍ର ଗୁରୁତର ହୋଇପଡ଼ିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।