ଜୟପୁର ୮/୩ : ଜୟପୁରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି । ଏହାସହ ରାଫେଲ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।
ଅଭିଭାଷଣ ଆରମ୍ଭରୁ ହାଲକୁ ନେଇ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିଛନ୍ତି ରାହୁଲ । ଏହାପରେ ସେ କହିଛନ୍ତି ଯେ, ମୋଦୀ ଅନୀଲ ଅମ୍ବାନୀଙ୍କ ପ୍ରତି ଅନୁକମ୍ପା ଦେଖାଇଛନ୍ତି । ହାଲକୁ ରାଫେଲ ନିର୍ମାଣ ନେଇ ଟେଣ୍ଡର ମିଳିଥିଲେ ଓଡିଆ ଯୁବକ ଚାକିରୀ ପାଇଥାନ୍ତେ ।
ଏହାସହ ସେ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି ଯେ ଭୂମି ଅଧିଗ୍ରହଣ ନିୟମରେ ସ୍ପଷ୍ଟ ଲେଖାଯାଇଥିଲା ସରକାର ଆଦିବାସୀ ଏବଂ କୃଷକଙ୍କ ଜମିକୁ ଜବରଦସ୍ତି ନେଇପାରିବେ ନାହିଁ । ଯଦି ନିଆଯାଏ ତେବେ ବଜାର ମୂଲ୍ୟର ଚାରି ଗୁଣା ପଇସା ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ଦିଆଯିବ । ଓଡିଶା ସରକାର ଜମିର ଉଚିତ ମୂଲ୍ୟ ଦେଉନାହାନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବଙ୍କ ଜମି ନେଇଯାଇଛନ୍ତି । ଜମି ନିଆଗଲେ ଯଦି କୌଣସୀ ପ୍ରକଳ୍ପ କାମରେ ଏହା ନଆସେ ତେବେ ୫ ବର୍ଷ ମଧ୍ୟରେ ଫେରସ୍ତ କରାଯିବା ଉଚିତ । କିନ୍ତୁ ତାହା ହେଉନାହିଁ । ନବୀନ ସରକାର ଧାନ ପାଇଁ ଉଚିତ୍ ମୂଲ୍ୟ ଦେଉନାହାନ୍ତି । ଛତିଶଗଡରେ କଂଗ୍ରେସ ସରକାର ଆସିଲା ପରେ ଧାନର ସହାୟକ ମୂଲ୍ୟ ୨୫୦୦ଟଙ୍କା ହୋଇଛି । କିନ୍ତୁ ଓଡିଶାରେ ନବୀନ ୧୬୦୦ ଟଙ୍କା ଦେଉଛନ୍ତି । ଓଡିଶାର କୃଷକମାନେ ଋଣଛାଡ ପାଇଁ କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନା କରିଦେଉଛନ୍ତି । କଂଗ୍ରେସ ସରକାର ଆସିଲେ ସମସ୍ତ କୃଷକଙ୍କ ଋଣଛାଡ ହେବ ।
ରାହୁଲ ଆହୁରି କହିଛନ୍ତି ଯେ, ଓଡିଶାରେ ଜଳ, ଜମି, ଜଙ୍ଗଲ ରହିଛି । କିନ୍ତୁ ଏହାକୁ ଛଡାଇ ନିଆଯାଉଛି । କଂଗ୍ରେସ ସରକାର ଆସିଲେ ମିନିମମ୍ ଇନକମ୍ ଗ୍ୟାରେଂଟି ଦିଆଯିବ । ସମସ୍ତ ଗରିବ ବ୍ୟକ୍ତିଙ୍କୁ ରୋଜଗାର ମିଳିବ । ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଯିବ । ଓଡିଶାର ମହିଳାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ । ବିବାହ ପାଇଁ ଟଙ୍କା ମିଳିବ । ବିଧବାଙ୍କୁ ପେନସନ ବାବଦରେ୨୦୦୦ ଟଙ୍କା ଦିଆଯିବ । ସମସ୍ତ ପଂଚାୟତରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ଫାଇନାନସିଆଲ କର୍ପୋରେସନ ଗଠନ ହେବ । ପ୍ରତି ପଂଚାୟତରେ ମହିଳାଙ୍କ ପାଇଁ ସ୍ପେସାଲ ଅଫିସର ରହିବେ ।