ରାଜନୀତି

କଂଗ୍ରେସ ମୁଖିଆଙ୍କ ଉପରେ ବର୍ଷିଲେ ଶ୍ରୀକାନ୍ତ ଜେନା

Published

on

ଭୁବନେଶ୍ୱର ୨୦/୧ : ଗତକାଲି କଂଗ୍ରେସରୁ ବହିଷ୍କୃତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଦଳର ସଭାପତି ରାହୁଲ ଗାନ୍ଧୀ ଓ ରାଜ୍ୟ ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଯେ, ରାହୁଲ ଗାନ୍ଧୀ ମେଣ୍ଟ ଆଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ମୁଣ୍ଡ ନୁଆଇଁଛନ୍ତି । ତାଙ୍କର ବିଜେଡ଼ି ସହ ଭିତିରି ସମ୍ପର୍କ ରହିଛି । ରାହୁଲ ମଧ୍ୟ ଓଡ଼ିଶା ଲୋକଙ୍କ ସହ କେବେ ନଥିଲେ କି ଏବେ ବି ନାହାନ୍ତି । ରାହୁଲ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଥିବାବେଳେ ସେ ତାଙ୍କର ମୁଖା ଖୋଲିଦେବେ ବୋଲି ଧମକ ଦେଇ ଶ୍ରୀ ଜେନା କହିଛନ୍ତି ଯେ, ଏହାପରେ ରାହୁଲ କେଉଁଠି ମୁହଁ ଦେଖାଇ ପାରିବେ ନାହିଁ ।
ତେଣେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ସେ ଛାଡ଼ି ନାହାନ୍ତି । ସେ କହିଛନ୍ତି ଯେ, ପଟ୍ଟନାୟକ ପରିବାର ଖଣି ମାଫିଆଙ୍କ ସହ ରହିଛନ୍ତି । ଖଣି ଚୋରି କରି ଯେଉଁମାନେ ଚାନ୍ଦା ଦେବେ ସେହିମାନେ ହିଁ ଦଳରେ ରହିପାରିବେ । ପଟ୍ଟନାୟକ ପରିବାର ସହ ସେ ଲଢ଼େଇ କରିଚାଲିବେ । ଅତୀତରେ ଶ୍ରୀ ପଟ୍ଟନାୟକଙ୍କୁ ହାଇକୋର୍ଟ ଅଭ୍ୟାସଗତ ଲାଂଚଦାତା ବୋଲି ଭତ୍ସନା କରିଥିବାବେଳେ ସେଭଳି ଏକ ବ୍ୟକ୍ତିଙ୍କୁ ରାଜ୍ୟରେ କଂଗ୍ରେସର ମୁଖିଆ କରିବା କେତେଦୂର ସମୀଚିନ ତାହା ସମସ୍ତେ ବୁଝି ପାରୁଥିବେ । ସେ ଏବେ ନିର୍ବାଚନ ଲଢ଼ିବେ ନାହିଁ ଏବଂ ରାଜ୍ୟସାରା ବୁଲି ବୁଲି ଲୋକମାନଙ୍କୁ କଂଗ୍ରେସର ଅସଲ ଚେହେରା ଦେଖାଇବେ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଅପରପକ୍ଷରେ ଏହାର ଜବାବ ରଖି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଲାଂଚ ସହ ତାଙ୍କର କୋ÷ଣସି ଭୂମିକା ନଥିଲା । ତାଙ୍କ ମ୍ୟାନେଜର ସରକାରୀ ବାବୁଙ୍କୁ ଲାଂଚ ଦେଇଥିଲେ । ରାହୁଲଙ୍କ ମୁଖା ଖୋଲିଦେବା ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି ଯେ, ଯଦି ମୁଖା ଖୋଲିବାର ଥିଲା ଶ୍ରୀକାନ୍ତ ଆଜିଯାଏ କୁଆଡ଼େ ଥିଲେ, ଆଜିଯାଏ କାହିଁକି ଖୋଲି ନଥିଲେ ।
ବିଜେଡ଼ି ସହ କଂଗ୍ରେସର ସମ୍ପର୍କ ଅଭିଯୋଗକୁ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ଏହା ଭିତ୍ତିହୀନ ବୋଲି ଦର୍ଶାଇ ସେ କହିଛନ୍ତି ଯେ, ଶ୍ରୀକାନ୍ତଙ୍କ କଥାରେ କୋ÷ଣସି ତାଳମେଳ ନଥାଏ । ସେ ଆଗରୁ କହୁଥିଲେ ବିଜେଡ଼ି ସହ ବିଜେପିର ଭିତିରି ସମ୍ପର୍କ ଅଛି । ଏବେ କହିଲେଣି କ’ଣ ନା ବିଜେଡ଼ି ସହ କଂଗ୍ରେସର ସମ୍ପର୍କ ଅଛି । ପ୍ରକୃତରେ ତାଙ୍କ କଥାରେ କୋ÷ଣସି ତାଳମେଳ ନାହିଁ । ବିଜେଡ଼ି ଦୁଇ ଦଳଠାରୁ ସମ ଦୂରତା ରକ୍ଷା କରିଚାଲିଛି ବୋଲି ଶ୍ରୀ ଦେବ କହିଛନ୍ତି । ସୂଚନାଯୋଗ୍ୟ ଯେ, ଦଳ ବିରୋଧୀ ବୟାନବାଜି ପାଇଁ ଶ୍ରୀ ଜେନାଙ୍କୁ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version