ଭୁବନେଶ୍ୱର ୨୫/୧ : ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ ଚାଷୀମାନଙ୍କ ଋଣ ଛାଡ଼ କରିବ । କେବଳ ସେତିକି ନୁହଁ ରାଜ୍ୟର ପ୍ରତି ଜିଲ୍ଲାରେ ଫୁଡ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଓଡ଼ିଶାର କୃଷି ଉତ୍ପାଦଗୁଡ଼ିକୁ ଆମେରିକା ପର୍ଯ୍ୟନ୍ତ ପଠାଇବାର ବ୍ୟବସ୍ଥା କରାଯିବ । ଶୁକ୍ରବାର ତମାଣ୍ଡୋଠାରେ ଅନୁଷ୍ଠିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ କୃଷି କାର୍ଡ ଖେଳି ଏଭଳି ସ୍ୱପ୍ନ ଦେଖାଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ, ଉଭୟ କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାର କେହି କୃଷକଙ୍କ ସ୍ୱାର୍ଥ ପ୍ରତି ଦୀର୍ଘ ବର୍ଷ ହେବ ଧ୍ୟାନ ଦେଇନାହାନ୍ତି । କଂଗ୍ରେସ ହିଁ ଦେଶରେ ସବୁଜ ବିପ୍ଳବ ଆରମ୍ଭ କରିଥିଲା ବୋଲି ଶ୍ରୀ ଗାନ୍ଧୀ ଏହି ଅବସରରେ ସ୍ମରଣ କରାଇଦେଇଛନ୍ତି ।
ଦିଲ୍ଲୀରେ ମୋଦୀ ଓ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାରକୁ ହଟାଇ ଆଗାମୀ ନିର୍ବାଚନରେ କଂଗ୍ରେସ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ଶ୍ରୀ ଗାନ୍ଧୀ କହିଛନ୍ତି ଯେ, ଓଡ଼ିଶାର ରିମୋଟ କଣ୍ଟ୍ରୋଲ ଦିଲ୍ଲୀରେ ରହିଛି । ନବୀନ ଓ ମୋଦୀଙ୍କ ବିଚାରଧାରା ଏକ । ନବୀନ ସରକାରଙ୍କ ଅମଳରେ ଓଡ଼ିଶାର ୬୦ ଲକ୍ଷ ଯୁବକ କାମ ପାଇଁ ରାଜ୍ୟ ଛାଡ଼ିଛନ୍ତି । ବିଜେଡ଼ି ସରକାର ରାଜ୍ୟର ଯୁବଗୋଷ୍ଠୀ ପାଇଁ ନିଯୁକ୍ତି ସୁବିଧା ଯୋଗାଇବାରେ ବିଫଳ ହୋଇଛି । କଂଗ୍ରେସ କ୍ଷମତାକୁ ଆସିଲେ ବେକାର ଥିବା ଯୁବଗୋଷ୍ଠୀଙ୍କୁ ନିଶ୍ଚିତ ଭାବେ କାମ ଯୋଗାଇ ଦେବ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ପରିବର୍ତ୍ତନ ସଂକଳ୍ପ ସମାବେଶରେ କଂଗ୍ରେସ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ବହୁ ଆଗଧାଡ଼ିର ନେତା ଉପସ୍ଥିତ ଥିଲେ ।
ପୂର୍ବରୁ ଅନୁଷ୍ଠିତ ଟାଉନହଲ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ଗାନ୍ଧୀ ଓଡ଼ିଶାରେ ଅମଲାତାନ୍ତ୍ରିକ ଏକଛତ୍ରବାଦୀ ଶାସନ ଚାଲିଛି ବୋଲି ଅଭିଯୋଗ କରିଥିଲେ । ବୁଦ୍ଧିଜୀବୀମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, କେନ୍ଦ୍ର ସରକାର ଆରଏସଏସ ଇଙ୍ଗିତରେ ପରିଚାଳିତ ।