ଭୁବନେଶ୍ୱର ୧୭/୧ : ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଥିବା ୩ ଦିନିଆ ଉଚ୍ଚ ପୋଲିସ ଅଧିକାରୀ ସମ୍ମିଳନୀରେ ନକ୍ସଲ ଦମନ ଅଭିଯାନ ଉପରେ ଗୁରୁତ୍ୱ ଦିଆଯାଇଛି । ଏହାକୁ ଉଦଘାଟନ କରି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଯେ, ରାଜ୍ୟରେ ଏବେ ନକ୍ସଲ ଦମନ ଅଭିଯାନକୁ ବ୍ୟାପକ କରାଯିବ । ଏଥିପାଇଁ ଆନ୍ତଃରାଜ୍ୟ ଯୋଗାଯୋଗ ଓ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରାଯିବ । ଆସନ୍ତା ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତ ରହିବାକୁ ଡ. ଶର୍ମା ଏହି ଅବସରରେ ଉଚ୍ଚ ପୋଲିସ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ସେ ନୂଆ ଆଇପିଏସ୍ ଅଫିସରଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ ।
ସମ୍ମିଳନୀରେ ଆଇନ ଶୃଙ୍ଖଳା, ମାଓ ଦମନ, ସଡ଼କ ସୁରକ୍ଷା ଓ ମହିଳା ନିରାପତ୍ତା ଆଦି ପ୍ରସଙ୍ଗ ନେଇ ଆଲୋଚନା ହେବ । ଏଥିରେ ଏଡ଼ିଜି, ଡିଆଇଜି, ଆଇଜି, ଏସପି, ଡିସିପି ଆଦି ଅଧିକାରୀ ଯୋଗ ଦେଇଛନ୍ତି ।