ନୂଆଦିଲ୍ଲୀ ୧୨/୬ : ଆସନ୍ତା ସଂସଦ ଅଧିବେଶନ ପୂର୍ବରୁ ଦଳୀୟ ବୈଠକ ଡାକିଛି କଂଗ୍ରେସ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦଳ ପକ୍ଷରୁ ଡକାଯାଇଥିବା ବୈଠକରେ ରାହୁଲ ଅଧ୍ୟକ୍ଷତା କରିବା ପାଇଁ ରାଜି ହେଉନଥିବା ନେଇ ସୂଚନା ମିଳିଛି । ତେବେ ଏହି ବୈଠକରେ ଦଳର ବରିଷ୍ଠ ନେତା ଏ କେ ଆଣ୍ଟୋନି ଅଧ୍ୟକ୍ଷତା କରିବେ ବୋଲି ଜଣାଯାଇଛି ।
ଏହି ବୈଠକରେ ଲୋକସଭା ନିର୍ବାଚନରେ ଦଳର କାହିଁକି ଏପରି ପରାଜୟ ହେଲା ସେନେଇ ମଧ୍ୟ ଆଲୋଚନା ହେବ । ଏହାସହ ସଂଗଠନ ବଦଳିବା ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଜଣାଯାଇଛି । କେବଳ ଏତିକି ନୁହେଁ ରାହୁଲଙ୍କ ଇସ୍ତଫା ନେଇ ମଧ୍ୟ ଆଲୋଚନା ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା , ଆଜିର ଏହି ବୈଠକରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଅନୁପସ୍ଥିତ ରହିବେ । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରିୟଙ୍କା ଗାନ୍ଧୀ ଓ ସୋନିଆ ଗାନ୍ଧୀ ରାଏବରେଲି ଗସ୍ତରେ ଅଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଧ୍ୟକ୍ଷ ପଦ ଏ କେ ଆଣ୍ଟୋନିଙ୍କ ପାଖକୁ ମଧ୍ୟ ଯାଇପାରେ ।