ବିଜୟୱାଡା ୩୦/୫ : ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଜଗନ ମୋହନ ରେଡ୍ଡୀ । ରାଜ୍ୟପାଳ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ବିଜୟୱାଡାର ଇନ୍ଦିରା ଗାନ୍ଧୀ ମ୍ୟୁନିସିପାଲ ଷ୍ଟାଡିୟମରେ ଆଜି ଶପଥ ନେଇଛନ୍ତି । ତେବେ ଶପଥ ସ୍ଥଳକୁ ପ୍ରବେଶ କରିବା ପୂର୍ବରୁ ଏକ ଖୋଲା ଜିପରେ ଜଗନ ଆସିଥିଲେ ଓ ସମବେତ ଜନତାଙ୍କୁ ନମସ୍କାର କରୁଥିବାର ଦେଖିବାକୁ ମିଳିଥିଲା ।
୧୯୭୨ ମସିହା ଡିସେମ୍ବର ୨୧ ତାରିଖରେ ଜଗନ ମୋହନ ରେଡ୍ଡୀ ଜନ୍ମଗ୍ରହଣ କରିଥିଲେ । ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀଙ୍କ ସୁପୁତ୍ର । ପୂର୍ବରୁ ଜଗନ କଡପା ଲୋକସଭା ଆସନରୁ ପ୍ରତିନିଧିତ୍ବ କରିଥିଲେ । ଚଳିତ ନିର୍ବାଚନରେ ୱାଇଏସଆର୍ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି । ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନରୁ ୧୫୧ଟି ଆସନରେ ବିଜୟ ଲାଭ କରିଛି । ପ୍ରତିଦ୍ୱନ୍ଦୀ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟି ୨୩ ଟି ଆସନରେ ସୀମିତ ରହିଯାଇଛି । ସେହିପରି ଲୋକସଭା ନିର୍ବାଚନରେ ମଧ୍ୟ ୨୫ଟି ଆସନରୁ ୨୨ଟି ଆସନ ହାତେଇଛି ।