ରାଜ୍ୟ

ଆଜି ଜାଗର, ଶୈବପୀଠମାନଙ୍କରେ ଭକ୍ତଙ୍କ ଭିଡ : ସ୍ୱତନ୍ତ୍ର ବ୍ୟବସ୍ଥା

Published

on

ଭୁବନେଶ୍ୱର ୪/୩ : ଆଜି ଜାଗର । ଶୈବପୀଠମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିଛି । ଆଜି ପ୍ରଭୁ ଶିବଙ୍କ ପାଖରେ ଉଠିବ ମହାଦୀପ । ମହାଦେବଙ୍କ ନିକଟରେ ଭକ୍ତିର ଦୀପ ପ୍ରଜ୍ୱଳନ କରିବେ ଶ୍ରଦ୍ଧାଳୁ । ନିର୍ଘଂଟ ଅନୁସାରେ ନୀତି ସମାପନ ପରେ ମନ୍ଦିରମାନଙ୍କରେ ମହାଦୀପ ଉଠିବ । ରାଜ୍ୟର ପ୍ରମୁଖ ଶୈବପୀଠମାନଙ୍କରେ ଜାଗର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀଲିଙ୍ଗରାଜ, ଶ୍ରୀ ଲୋକନାଥ, ପ୍ରଭୁ ଧବଳେଶ୍ୱର, କପିଳାସ ମନ୍ଦିରରେ ଶୃଙ୍ଖଳିତ ଭାବେ ପୂଜାବିଧି ସମାପନ ପାଇଁ ବ୍ୟବସ୍ଥା କରାଯାଇଛି । ଜାଗର ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି । ଶୈବପୀଠମାନଙ୍କରେ ଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷାକର୍ମୀ ମାନେ ମୁତୟନ ହୋଇଛନ୍ତି । ଏହାସହ କୌଣସି ପ୍ରକାର ଅଘଟଣ ଏଡ଼ାଇବା ପାଇଁ କଡ଼ା ନଜର ରଖାଯାଇଛି।
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ରକ୍ଷେତ୍ର । ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଗହଳି ଲାଗିଛି । ରାତି ୧୦ଟାରେ ମହାଦୀପ ଉଙ୍ଖିବ । ସୋମବାରରେ ଶିବରାତ୍ରୀ ପଡୁଥିବାରୁ ଅସମ୍ଭାଳ ଭିଡ ହେବ ବୋଲି ଅନୁମାନ କରାଯାଉଛି । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ପୁଲିସ ବାହିନୀ ସୁରକ୍ଷା ବଳୟ ତିଆରି କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୨୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ଜାଗର ଯାତ୍ରା ପାଇଁ ଚଳଚଂଚଳ ହୋଇଛି ଶ୍ରୀଲୋକନାଥ ଦେବଙ୍କ ମନ୍ଦିର ପରିସର । ସକାଳୁ ସକାଳୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଠାକୁରଙ୍କ ଦର୍ଶନ ଚାଲିବ । ଶ୍ରୀମନ୍ଦିରରୁ ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା ବାହାରି ନଗର ପରିକ୍ରମା କରି ଶ୍ରୀଲୋକନାଥଙ୍କ ମନ୍ଦିରରେ ପହଁଚିବେ । ସେଠାରେ ହରିହର ଭେଟ ନୀତି ଅନୁଷ୍ଠିତ ହେବ । ତାପେର ରାତି ୨ଟାରୁ ୩ଟା ମଧ୍ୟରେ ଠାକୁରଙ୍କ ପୂଜାଭୋଗ ସମ୍ପନ୍ନ ହୋଇ ରାତି ୩ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମହାପ୍ରଭୁଙ୍କ ଦର୍ଶନ ଓ ଠାକୁରଙ୍କ ପୂଜାନୀତି ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version