ନୂଆଦିଲ୍ଲୀ ୨୬/୪ : ଆଇଏନଏସ ବିକ୍ରମାଦିତ୍ୟରେ ଶୁକ୍ରବାର ନିଆଁ ଲାଗିବାରୁ ନୌସେନାର ଜଣେ ଅଫିସର ସହିଦ ହୋଇଛନ୍ତି। ନିଆଁ ସେହି ସମୟରେ ଲାଗିଥିଲା ଯେବେ ଯୁଦ୍ଧ ଜାହାଜ କର୍ଣ୍ଣାଟକର ବାଣିଜ୍ୟିକ ବନ୍ଦରରେ ପହଞ୍ଚୁଥିଲା।
ଭାରତୀୟ ନୌସେନାର ସୂଚନା ମୁତାବକ, ଲେଫ୍ଟନାଣ୍ଟ କମାଣ୍ଡର ଡିଏସ ଚୌହ୍ଵାନଙ୍କ ନେତୃତ୍ଵରେ ଯୁଦ୍ଧ ଜାହାଜରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି। କ୍ରୁର ତୁରନ୍ତ କାର୍ୟ୍ୟାନୁଷ୍ଠାନ ଫଳରେ ଯୁଦ୍ଧ ଜାହାଜର ଅଧିକ କ୍ଷତି ଘଟିନାହିଁ। ମାତ୍ର ଏହି ସମୟରେ ନିଆଁ ଓ ଧୂଆଁ କାରଣରୁ ଲେଫ୍ଟନାଣ୍ଟ କମାଣ୍ଡର ଅଚେତ୍ ହୋଇ ପଡିଥିଲେ।
ନୌସେନାର ଅଧିକାରୀଙ୍କୁ ତୁରନ୍ତ ନୌସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କର ଜୀବନ ରକ୍ଷା କରାଯାଇପାରିନଥିଲା। ଅନ୍ୟ ପଟେ କିଛି ସମୟ ପରେ ଜାହାଜର କ୍ରୁ ସଦସ୍ୟ ନିଆଁକୁ ନିୟନ୍ତ୍ରଣ କରିଥିଲେ। ସବୁଠୁ ବଡ଼ କଥା ଜାହାଜର ବିଶେଷ କ୍ଷତି ଘଟିନାହିଁ। ନୌସେନା ଆଇଏନଏସ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ ଘଟଣାର ଯାଞ୍ଚ ପାଇଁ ବୋର୍ଡ ଅଫ ଇନକ୍ଵାୟରିର ଆଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଆଇଏନଏସ ବିକ୍ରମାଦିତ୍ୟ ୨୦୧୩ରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲା। ଉଜ୍ଜୈନର ମହାନ ସମ୍ରାଟ ବିକ୍ରମାଦିତ୍ୟଙ୍କ ସମ୍ମାନରେ ଏହାର ପୂର୍ନବାର ନାମକରଣ କରାଯାଇଥିଲା।