Connect with us

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସରକାରୀ ତଥା ବେସରକାରୀ ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁର ଆବଶ୍ୟକତା ହୋଇଥିଲା, ଅତି କମ୍‌ରେ ସେତିକି ପରିମାଣର ଶଯ୍ୟା ଓ ଆଇସିୟୁ ପ୍ରସ୍ତୁତ କରି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଜନସାଧାରଣଙ୍କ ଟୀକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାମ୍ପେନ ମୋଡ୍‌ରେ କାମ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ୧୫ ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟୀକାକରଣ ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଭୂତାଣୁ ସଂକ୍ରମଣକୁ କମ୍‌ କରିବା ପାଇଁ ଆମକୁ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପଡିବ। ତେବେ ଏଥିରେ ଯେପରି ଜନସାଧାରଣଙ୍କର ଜୀବିକା ଉପରେ କୌଣସି ପ୍ରଭାବ ନ ପଡେ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ ଓମିକ୍ରନ୍‌ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଅଳ୍ପ ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଉଛି । ଦେଶରେ ଖୁବ ଶୀଘ୍ର ଲକ୍ଷ ଲକ୍ଷ ସଂଖ୍ୟାରେ କୋଭିଡ ରୋଗୀ ସଂକ୍ରମଣ ଦେଖା ଦେଇପାରେ। ଓଡିଶାରେ ମଧ୍ୟ ଓମିକ୍ରନ ରୋଗୀଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଛି। ତେଣୁ ଜନସାଧାରଣଙ୍କୁ ବିଶେଷ ଅସୁବିଧାରେ ନ ପକାଇ କୋଭିଡର ଉତ୍ତମ ପରିଚାଳନା ପାଇଁ ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ।

ଗତ ସପ୍ତାହ ସମୀକ୍ଷା ବୈଠକରେ କେତେକ ପ୍ରସ୍ତୁତିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ପ୍ରକାଶ କରି ଏଗୁଡିକର କାର୍ଯ୍ୟାନ୍ବୟନ ପାଇଁ ମୁଖ୍ୟ ଶାସନ ସଚିବ ପ୍ରତିଦିନ ସମୀକ୍ଷା ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଗତ ଲହରୀ ସମୟରେ ଅକ୍‌ସିଜେନ ପରିଚାଳନା, ସୂଚନା ଅଭିଯାନ, ଟ୍ରେନିଂ ମଡ୍ୟୁଲ ଆଦି ବ୍ୟବସ୍ଥା କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ବର୍ତ୍ତମାନ ପୁଣି ଅଧିକାରୀ ମାନଙ୍କର ବିଭିନ୍ନ ମନିଟରିଂ ଗ୍ରୁପ ଓ ଜିଲ୍ଲାସ୍ତରୀୟ ଅବ୍‌ଜରଭର ବ୍ୟବସ୍ଥା କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେହେତୁ ଏହି ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାର ସମ୍ଭାବନା ରହିଛି, ତେଣୁ ସବୁ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମକୁ ପାଳନ କରିବା ଏବଂ ଦାୟିତ୍ବରେ ଥିବ ଅଧିକାରୀ ମାନଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣ ଙ୍କୁ ନିବେଦନ କରିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନେବା ପାଇଁ ସମସ୍ତ ସଂପୃକ୍ତ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ବରିଷ୍ଠ ଅଧିକାରୀମାନେ ଜିଲ୍ଲାକୁ ଗସ୍ତ କରି ଜିଲ୍ଲାସ୍ତରରେ ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବ୍ୟବସ୍ଥା କରିବେ ବୋଲି ସେ କହିଥିଲେ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍‌.କେ. ଶର୍ମା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ସେ କହିଥିଲେ ଯେ ଓଡିଶାରେ ଓମିକ୍ରନର ସଂକ୍ରମଣ ସଂପର୍କରେ ସତର୍କ ଦୃଷ୍ଟି ରଖାଯାଇଛି ଏବଂ ବିଦେଶାଗତ ଲୋକମାନଙ୍କର ନିୟମିତ ପରୀକ୍ଷା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଚିକିତ୍ସା ପ୍ରୋଟୋକଲ (Treatment Protocol) ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡିକରେ ଆବଶ୍ୟକ ପରିମାଣର ଔଷଧ, ଶଯ୍ୟା ଓ ଅକ୍‌ସିଜେନ ମହଜୁଦ ରହିଛି ବୋଲି ସେ କହିଥିଲେ।

ପୋଲିସ ଡିଜି ଶ୍ରୀ ସୁନିଲ ବଂଶଲ ରାଜ୍ୟରେ ଲୋକଙ୍କ ସହଯୋଗରେ କଟକଣା ଗୁଡିକର ଅନୁପାଳନ କରାଯାଉଛି ଓ ଆଗାମୀ ଦିନରେ ଏହାକୁ ଆହୁରି ଜୋରଦାର କରାଯିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କୋଭିଡ କଟକଣା ପାଳନ ସମୟରେ ଘର ଭିତର ଓ ବାହାର (Indoor ଓ Outdoor)ରେ ଲୋକଙ୍କ ଭିଡ ଉପରେ ନଜର ରଖିବା ପାଇଁ ମତ ଦେଇଥିଲେ। ଯେଉଁ ପଦକ୍ଷପ ଦ୍ବାରା କୋଭିଡ ସଂକ୍ରମଣର ନିୟନ୍ତ୍ରଣ ହୋଇପାରିବ, ତା ଉପରେ ଧ୍ୟାନ ଦେବାକୁ ସେ କହିଥିଲେ ।
ବୈଠକରେ ସୁନ୍ଦରଗଡ, ବଲାଙ୍ଗୀର, ଗଞ୍ଜାମ ଓ ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ ତଥା ବିଏମସି ଓ ସିଏମସିର କମିଶନର ମାନେ ସେମାନଙ୍କ ଅଞ୍ଚଳରେ ନିଆଯାଉଥିବା ବିଭିନ୍ନ ପଦକ୍ଷପ ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ ।

ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଯୋଗ ଦେଇଥିଲେ ।

Continue Reading
Click to comment

Leave a Reply

Your email address will not be published. Required fields are marked *

Health

ମୃତ ଯୁବକ ଫେରି ପାଇଲେ ଜୀବନ

Published

on

ଭୁବନେଶ୍ୱର: ବନ୍ଦ ହୋଇଗଲା ହୃଦଯନ୍ତ୍ର l ଚବିଶ ବର୍ଷୀୟ ଶୁଭକାନ୍ତ ସାହୁ, ଭାରତୀୟ ସୈନ୍ୟ ବାହିନୀର ଯବାନଙ୍କୁ ବୋଲି ଘୋଷଣା କରିଦେଇଥିଲେ ଡାକ୍ତର l ହେଲେ ଶୁଭକାନ୍ତ ବଞ୍ଚି ଉଠିଲେ l

ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ୱୟ, ନିଶ୍ଚିତ ମୃତ୍ୟୁ ମୁଖରୁ ଯବାନଙ୍କୁ ବଞ୍ଚାଇ ଆଣିଲେ ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳ l ଦୁଇ ଘଣ୍ଟା ପରେ ପୁନଃକାର୍ଯ୍ୟ କଲା ବନ୍ଦ ହୋଇଯାଇଥିବା ଶୁଭକାନ୍ତଙ୍କ ହୃଦୟ l

ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ବୟ ସହିତ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ଉନ୍ନତ ଏକ୍ସଟ୍ରାକୋର୍‌ପୋରାଲ୍ କାର୍ଡିଓ-ପୁଲମୋନାରୀ ରେସୁସିଟେସନ୍‌ (ଇ-ସିପିଆର୍‌) ମାଧ୍ୟମରେ ଏହି ୨୪ ବର୍ଷ ବୟସ୍କ ଆର୍ମୀ ଯବାନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି। ନୟାଗଡ଼ ରଣପୁର ଅଞ୍ଚଳରୁ ଆସିଥିବା ଏହି ଯୁବକଙ୍କର ହୃଦୟ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥିଲା। ମାତ୍ର ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳଙ୍କ ନିଷ୍ଠାପର ଉଦ୍ୟମ ଏବଂ ଚିକିତ୍ସା ଜ୍ଞାନକୌଶଳର ସଫଳ ପ୍ରୟୋଗ ଉକ୍ତ ଯବାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଛି। ଓଡ଼ିଶା ସମେତ ପୂର୍ବ ଭାରତରେ ପ୍ରଥମ କୁହାଯାଉଥିବା ଏହି ଇସିପିଆର୍‌ ପ୍ରଣାଳୀର ଚମତ୍କାର ଉପଯୋଗ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳର ସମ୍ମୀଶ୍ରଣ ତଥା ଏମ୍‌ସର ଡାକ୍ତରୀ ଦଳଙ୍କ ଅଦମ୍ୟ ପ୍ରତିବଦ୍ଧତାର ଉଦାହରଣ ସାବ୍ୟସ୍ତ ହୋଇଛି।

ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଅନନ୍ୟ କାର୍ଯ୍ୟକୁ ସଫଳ ରୂପ ପ୍ରଦାନ କରିଥିବା ଡାକ୍ତରୀ ଦଳର ପ୍ରଶଂସା କରିଛନ୍ତି। ଏମ୍‌ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୁକ୍ତ ସମନ୍ବୟ ସହିତ ଅଗ୍ରଗାମୀ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସର୍ବଦା ଆଗରେ ରହିଆସିଛି। ଜୀବନ ବଞ୍ଚାଇବା ଏବଂ ଚିକିତ୍ସା ସେବାକୁ ଆଗକୁ ନେବା ପାଇଁ ଏହା ଆମର ଉତ୍ସର୍ଗୀକୃତ ଭାବନାର ଏକ ଉଦାହରଣ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟଯେ ଜଟିଳ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଥିବା ଉପରୋକ୍ତ ଯୁବକଙ୍କୁ ଅକ୍ଟୋବର ପହିଲାରେ ଏମ୍‌ସ ଭୁବନେଶ୍ୱରକୁ ରେଫର୍ କରାଯାଇଥିଲା। ଏମ୍‌ସରେ ପହଞ୍ଚିବାର କିଛି ସମୟ ପରେ ଯୁବକ ଜଣଙ୍କ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। ଜୀବନ ବଞ୍ଚାଇବା ନିମିତ୍ତ ୪୦ ମିନିଟ୍‌ର ପ୍ରାଥମିକ ସିପିଆର୍‌ ସତ୍ତ୍ବେ ତାଙ୍କର ହୃଦୟ କାର୍ଯ୍ୟ କରିନଥିଲା। ଏପରି ଅବସ୍ଥାରେ ସାଧାରଣତଃ ଦୁଇଟି ନିଷ୍ପତି ନିଆଯାଇଥାଏ। ମୃତ୍ୟୁ ଘୋଷଣା କରିବା କିମ୍ବା ଇ-ସିପିଆର୍‌ ପ୍ରଣାଳୀ ପ୍ରୟୋଗ କରିବା। ତେବେ ଏମ୍‌ସ ଡାକ୍ତରୀ ଦଳ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଯବାନଙ୍କର ଜୀବନ ବଞ୍ଚାଇବା ନିମନ୍ତେ ନିରନ୍ତର ଉଦ୍ୟମ କରିଥିଲେ। ଏକ୍‌ମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟ୍‌ର ମାରାଥନ୍ ସିପିଆର୍‌ ପରେ ଯୁବକଙ୍କୁ ଏକ୍‌ମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ। ତେବେ ଇସିପିଆର୍‌ ଦେବାର ୪୦ ମିନିଟ୍‌ ପରେ ଯୁବକଙ୍କ ହୃଦୟ କାର୍ଯ୍ୟ ଆରମ୍ଭ କରିଥିଲା। ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା, ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକ୍‌ମୋରୁ ବାହାର କରାଯାଇଥିଲା। ଦଳଗତ ଭାବେ ଉଲ୍ଲେଖନୀୟ ପାରଦର୍ଶୀତା, ସମନ୍ୱୟ ଏବଂ ଉତ୍ସର୍ଗୀକୃତ ପ୍ରଦର୍ଶନ ମାଧ୍ୟମରେ ଏପରି ଏକ ଜଟିଳ କାର୍ଯ୍ୟ ସମ୍ପାଦନ କରି ଜଣେ ଯବାନଙ୍କ ଜୀବନ ବଞ୍ଚାଇବା ଏକ ଅନନ୍ୟ ସଫଳତା।

ପୁଅକୁ ଦ୍ବିତୀୟ ଜୀବନ ପ୍ରଦାନ କରିଥିବାରୁ ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳକୁ କୃତଜ୍ଞତା ପ୍ରଦାନ କରିଛନ୍ତି ଯବାନଙ୍କ ମା। ଏମ୍‌ସ ଡାକ୍ତରମାନଙ୍କର ଦକ୍ଷତା, କରୁଣା ଏବଂ ନିଷ୍ଠାକୁ ଆମ ପରିବାର ସବୁଦିନ ମନେରଖିବ ବୋଲି ଯବାନଙ୍କ ମା ପ୍ରକାଶ କରିଛନ୍ତି।

ଇ-ସିପିଆର୍‌ ପ୍ରଣାଳୀ ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଏବଂ ଏହାକୁ ସଫଳତାର ସହିତ ପ୍ରୟୋଗ କରିବା ଏକ ଆହ୍ବାନ। ମାତ୍ର ଆମ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ଦଳଗତ ମନୋଭାବ କାରଣରୁ ଏହା ସଫଳ ହୋଇପାରିଛି। ଏହି ସଫଳତା ଓଡ଼ିଶାର ଚିକିତ୍ସା ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ହୃଦ୍‌ଘାତର ଚିକିତ୍ସାରେ ଏକ ସମ୍ଭାବନାପୂର୍ଣ୍ଣ ପଦ୍ଧତିର ପ୍ରତିନିଧିତ୍ବ କରିବ ବୋଲି ଡ. ଶ୍ରୀକାନ୍ତ ବେହେରା ମତ ପ୍ରକାଶ କରିଛନ୍ତି।

ଏହି ପ୍ରକ୍ରିୟାରେ ଡ. କ୍ରିଷ୍ଣମୋହନ ଗୁଲା, ଡ. ସନ୍ଦୀପ କୁମାର ପଣ୍ଡା, ଡ. ସିଦ୍ଧାର୍ଥ ସାଠିଆ, ଡ. ସଙ୍ଗୀତା ସାହୁ, ଡ. ମାନସ ପାଣିଗ୍ରାହୀ, ଏମ୍‌ସିଆଇ ଏବଂ ନର୍ସିଂ ଅଧିକାରୀଙ୍କ ଭଳି ସ୍ବାସ୍ଥ୍ୟସେବା ପ୍ରଦାନକାରୀ ପ୍ରମୁଖ ସାମିଲ ଥିଲେ।

ଏହି ଅଭିନବ ସଫଳତା ପାଇଁ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଅନୁପମ ଦେ, ଡ. ରଶ୍ମିରଞ୍ଜନ ମହାନ୍ତି, ଡ. ଦେବାନନ୍ଦ ସାହୁ ପ୍ରମୁଖ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Continue Reading

Health

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିୟୋ କ୍ଲିନିକର ପ୍ରତିନିଧି: ଓଡିଶାରେ ଅତ୍ୟାଧୁନିକ କ୍ୟାନ୍‌ସର ନିରୁପଣ ଓ ଚିକିତ୍ସା ପାଇଁ ଆଲୋଚନା

Published

on

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ସବୁଠାରୁ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଲୋଚନାରୁ ଜଣା ଯାଇଛି ଯେ, କ୍ୟାନ୍‌ସର ଚିକିତ୍ସା ଅତ୍ୟଧିକ ବ୍ୟୟ ସାପେକ୍ଷ ଓ ଅନିଶ୍ଚିତ। ଡି.ଏନ୍.ଏ ଟେଷ୍ଟ ଜରିଆରେ ତୁରନ୍ତ ରୋଗ ନିରୂପଣ ସହିତ କୌଣସି ଏକ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଫଳପ୍ରଦ ହେଉଛି ବା ନାହିଁ ତାହା ମଧ୍ୟ ଖୁବ୍ ଶୀଘ୍ର ଜଣାପଡି ପାରିବ। ତେଣୁ ଓଡିଶାରେ ଏହି ନୂତନ ପଦ୍ଧତିର ପ୍ରୟୋଗ ସପକ୍ଷରେ ପ୍ରତିନିଧିମାନେ ମତ ରଖିଥିଲେ। ଏହା ଦ୍ୱାରା ରୋଗ ନିରୂପଣ ଖୁବ୍‌ ଶୀଘ୍ର ସୂଚନା ମିଳିବା ସହିତ ଫଳପ୍ରଦ ଚିକିତ୍ସା ପ୍ରଦାନ କରାଯାଇ ପାରିବ।

ସ୍ୱାସ୍ଥ୍ୟସେବା, ବିଶେଷ କରି କ୍ୟାନ୍‌ସର ଚିକିତ୍ସାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମତ ଦେଇ ଏ ସମ୍ପର୍କରେ ବିଧିବଦ୍ଧ ପ୍ରସ୍ତାବ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍. ଉପସ୍ଥିତ ଥିଲେ।

ମିୟୋ କ୍ଲିନିକ ପକ୍ଷରୁ ପ୍ରଫେସର ଦେବ ମୁଖାର୍ଜୀ, ଆମେରିକାସ୍ଥିତ ଏଲିଫାସ୍ ବାୟୋ ସାଇନ୍‌ସେସ୍ ପକ୍ଷରୁ ମିଷ୍ଟର ଚାର୍ଲସ୍ ମିଲର (Mr. Charles Miller from Elephes Bio-Sciences), ଇନ-ଡି.ଏନ୍.ଏ ଲାଇଫ୍ ସାଇନ୍‌ସର (inDNA Life Sciences) ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡ. ବିରେନ୍ ବାନାର୍ଜୀ ଓ ଏହାର ପ୍ରତିନିଧି ଦେବୀ ପ୍ରସାଦ ରଥ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ।

Continue Reading

Health

ଓଡିଶା ଆଦିବାସୀଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ଖବର: ଭୁବନେଶ୍ୱର ଆଇ.ଏଲ୍.ଏସ୍ ଆବିଷ୍କାର କରିଛି ନୂତନ ପ୍ରୋବାୟୋଟିକ

Published

on

ଭୁବନେଶ୍ୱର : ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍, ଭୁବନେଶ୍ୱରର ବୈଜ୍ଞାନିକମାନେ ଏକ ନୂତନ ପ୍ରୋବାୟୋଟିକ ଆବିଷ୍କାର କରିଛନ୍ତି।ପ୍ରୋବାୟୋଟିକହେଉଛି ଏକ ପ୍ରକାର ର ଉପକାରୀ ଅଣୁଜୀବ ଯାହା ଜୀବନ୍ତ ଅବସ୍ଥା ରେ ପର୍ଯ୍ୟାପ୍ତ ପରିମାଣରେ ସେବନ କଲେ ମଣିଷ ଏବଂ ପଶୁମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ଵନ୍ଧିତ ଉପକାର ଯୋଗାଇଥାଏ | ଏହି ନୂତନ ପ୍ରୋବୟୋଟିକ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଓ ପୁଷ୍ଟି ସନ୍ତୁଳନରେ ସହାୟକ ହେବ।

ଆଇ ଏଲ ଏସ ବାୟୋଟେକ୍ନୋଲୋଜି ଅନୁସନ୍ଧାନର ଏକ ଉତ୍କର୍ଷ କେନ୍ଦ୍ର।ଆଇ ଏଲ ଏସ, ଓଡିଶାର ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ ପୁଷ୍ଟି କୁ ଦୃଷ୍ଟିରେ ରଖି ଏକ ଅଭିନବ ଗବେଷଣା ପଦକ୍ଷେପ ଆଣିଛି। ପ୍ରାୟ ତିନି ବର୍ଷ ପୂର୍ବେ, ଆଇ.ଏଲ୍.ଏସ.ର ପୂର୍ବତନ ନିର୍ଦ୍ଦେଶକ ସ୍ଵର୍ଗତଃ ଡକ୍ଟର. ଅଜୟ ପରିଡା ଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ, ଆଦିବାସୀ ଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସମ୍ବନ୍ଧିତ ଆଇ.ଏଲ୍.ଏସ୍.ର ଏହି ଅଗ୍ରଣୀ କାର୍ଯ୍ୟକ୍ରମକୁ ସମର୍ଥନ କରିଛି | ଏହି କାର୍ଯ୍ୟକ୍ରମର ଅନ୍ତର୍ଗତ ଆଇ.ଏଲ୍.ଏସର ଏକାଧିକ ବୈଜ୍ଞାନିକମାନେ ଏହି ପ୍ରକଳ୍ପର ବିଭିନ୍ନ ଦିଗରେ ଗବେଷଣା କରୁଛନ୍ତି ଯାହାକି ଓଡିଶାର ଜନଜାତିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ |

ଏହାର ଏକ ଅଧ୍ୟୟନରେ, ଆଇ.ଏଲ୍.ଏସ୍. ଗବେଷକମାନେ ଏହି ଆଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଉପକାରୀ ଜୀବାଣୁକୁ ଅନୁସନ୍ଧାନ କରିବାକୁ ଯୋଜନା କରିଥିଲେ ।
ପ୍ରୋବାୟୋଟିକ ହେଉଛି ଏକ ପ୍ରକାର ର ଉପକାରୀ ଅଣୁଜୀବ ଯାହା ଜୀବନ୍ତ ଅବସ୍ଥା ରେ ପର୍ଯ୍ୟାପ୍ତ ପରିମାଣରେ ସେବନ କଲେ ମଣିଷ ଏବଂ ପଶୁମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ଵନ୍ଧିତ ଉପକାର ଯୋଗାଇଥାଏ | ଏହି ସହାୟକ ପ୍ରୋବାୟୋଟିକ ମାନେ ତରଳ ଝାଡ଼ା, ମେଦବହୁଳତା ଏବଂ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ପ୍ରତିରୋଧ ଏବଂ ନିୟନ୍ତ୍ରଣରେ ଉପଯୋଗୀ ବୋଲି ଜଣାଶୁଣା | ଓଡିଶା ଜନଜାତିର ଅନନ୍ୟ ଖାଦ୍ୟ ଅଭ୍ୟାସ, ସଂସ୍କୃତି ଏବଂ ପରିସଂସ୍ଥା କୁ ହୃଦୟଙ୍ଗମ କରି ଆଇ.ଏଲ୍.ଏସ.ର ବୈଜ୍ଞାନିକ ସମ୍ଭାବ୍ୟ ପ୍ରୋବୋଟିକ୍ସ କୁ ଅନୁସନ୍ଧାନ କରିବାକୁ ଯୋଜନା କରିଥିଲେ। ଏହି ପରିପ୍ରେକ୍ଷୀରେ, ଆଇ.ଏଲ୍.ଏସ୍.ର ବୈଜ୍ଞାନିକ ଡକ୍ଟର. ଶାନ୍ତିଭୂଷଣ ସେନାପତିଙ୍କ ଗବେଷଣା ଦଳ ଆଇଏଲ୍ଏସ୍ ରୁ ଏକାଧିକ ପ୍ରୋବାୟୋଟିକ କୁ ଚିହ୍ନଟ ଏବଂ ପୃଥକ କରିଛି | ନିକଟରେ ଡକ୍ଟର. ସେନାପତିଙ୍କ ଗବେଷଣା ଦଳ ଏହିପରି ଏକ ଉପଯୋଗୀ ପ୍ରୋବାୟୋଟିକ ର ପୁରା ଜିନୋମ୍ କ୍ରମ ଏବଂ ଅନ୍ୟାନ୍ୟ ପ୍ରୋବାୟୋଟିକ୍ ଗୁଣଗୁଡିକ ଅନୁସନ୍ଧାନ କରିଛନ୍ତି ଏବଂ ଏହି କାର୍ଯ୍ୟଟି “ୱାର୍ଲ୍ଡ ଜର୍ନାଲ୍ ଅଫ ମାଇକ୍ରୋବାୟୋଲୋଜି ଏଣ୍ଡ ବାୟୋଟେକ୍ନୋଲୋଜି” ରେ ପ୍ରକାଶିତ ହୋଇଛି, ଯାହାକି ଏହି କ୍ଷେତ୍ରରେ ଏକ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ପତ୍ରିକା | ଏହି ପ୍ରକାଶନର ମୁଖ୍ୟ ଗବେଷକ ଡକ୍ଟର. ଜୟଲକ୍ଷ୍ମୀ ଦାଶ ଏବଂ ମନୀଷା ସେଠୀ ଉଲ୍ଲେଖ କରିଛନ୍ତି ଯେ, ଆଉ ତିନିଟି ପ୍ରୋବାୟୋଟିକ ପାଇଁ ସମଗ୍ର ଜିନୋମ୍ କ୍ରମ ସମାପ୍ତ ହୋଇସାରିଛି ଏବଂ କ୍ରମଗୁଡିକ ଏନ.ସି.ବି.ଆଇ. ଡାଟାବେସରେ ଜମା କରାଯାଇଛି |
ଆଇ.ଏଲ୍.ଏସ୍. ନିର୍ଦ୍ଦେଶକ ଡକ୍ଟର. ପୁଲୋକ କୁମାର ମୁଖାର୍ଜୀ ଏହି ସଫଳତା ଉପରେ ନିଜର ଅଶେଷ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଭବିଷ୍ୟତରେ ଏହି ପ୍ରୋବାୟୋଟିକ ଯୁକ୍ତ ଖାଦ୍ୟର ବିକାଶ ପାଇଁ ଏହି ପ୍ରୟାସକୁ ଅଧିକ ଦିଗନ୍ତକାରୀ କରିବାକୁ ଉଲ୍ଲେଖ କରିଛନ୍ତି। ଏହି ପ୍ରୋବାୟୋଟିକ୍ସର ଉତ୍ପତ୍ତି ଓଡିଶାର ଜନଜାତିଙ୍କ ଠାରୁ ହୋଇଥିବାରୁ ଡକ୍ଟର ସେନାପତି ଆଶା କରିଛନ୍ତି ଯେ ଏହି ଜିବାଣୁମାନେ ଓଡିଶାର ଆଦିବାସୀମାନଙ୍କ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ପାଇଁ ଅଧିକ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସାମଗ୍ରିକ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ। ଜନ ନିର୍ଦ୍ଦିଷ୍ଟ ପ୍ରୋବାୟୋଟିକ ର ବିକାଶ ଦିଗରେ ଏହା ଏକ ଉତ୍ସାହଜନକ ପଦକ୍ଷେପ |

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions