Connect with us

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିଥଲେ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡ ରୋଗୀଙ୍କ ସୁବିଧା, କୋଭିଡ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଆରୋପ କରିଥିଲେ। ଏହାସହିତ ରାଜ୍ୟର ୫ଟି ଫୋକସ୍‌ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ କୋଭିଡ ଯୁଦ୍ଧରେ ଆଗରେ ରହି କାର୍ଯ୍ୟ କରୁଥିବା ଯୋଦ୍ଧା ମାନଙ୍କର ମନୋବଳକୁ ଉଚ୍ଚା ରଖିବା ପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଦିନ ବିଭିନ୍ନ ଜିଲ୍ଲାର କୋଭିଡ ଯୋଦ୍ଧା ମାନଙ୍କ ସହିତ କଥାବର୍ତ୍ତା କରୁଛନ୍ତି।

ଏହି ଅବସରରେ ପରୀକ୍ଷା ପାଇଁ ଅଧିକ ଲାବୋରେଟୋରୀ ଟେକନିସିଆନ ଓ ଅଧିକ ଆମ୍ବୁଲାନ୍‌ସ ମୁତୟନ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ସେହିପରି ମୃତ୍ୟୁବରଣ କରୁଥିବା କୋଭିଡ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ସତ୍କାର କରାଯିବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ବିଷୟମାନଙ୍କ ଉପରେ କୋଭିଡ ଯୋଦ୍ଧା ମାନଙ୍କୁ ନିୟମିତ ତାଲିମ ଓ ଉତ୍ତମ ଖାଦ୍ୟ ଯୋଗାଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ସମୀକ୍ଷାରୁ ଜଣାଯାଇଛି ଯେ ଗଞ୍ଜାମ,କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧା, ଏହି ୫ଟି ଜିଲ୍ଲାକୁ ଅଧିକ ପ୍ରବାସୀଙ୍କ ଆଗମନ ତଥା ଯିବାଆସିବା ବୃଦ୍ଧି କାରଣରୁ ପରିସ୍ଥିତି ଆହ୍ବାନମୂଳକ ରହିଛି। ତେଣୁ ଏହିସବୁ ଜିଲ୍ଲା ଉପରେ ଅଧିକ ଫୋକସ୍‌ କରାଯାଇ ପଦକ୍ଷେପ ନିଆଯାଇଛି।
ଗଞ୍ଜାମ ଜିଲ୍ଲାରେ ଅଧିକ ମାନବ ସମ୍ବଳ ସହିତ ଅଧିକ ଭେଣ୍ଟିଲେଟର, ଆମ୍ବୂଲାନ୍‌ସ, ଶଯ୍ୟା ଆଦିର ବ୍ୟବସ୍ଥା କରି ସମସ୍ତ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ କୋଭିଡ ମୁକାବିଲା ପାଇଁ ଥିବା ସମସ୍ତ ନୀତି ଓ ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ଥିବା ଆହ୍ବାନର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭୦୦୦ ପରୀକ୍ଷଣ କରାଯାଉଥିବା ବେଳେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏହାକୁ ୯୦୦୦କୁ ବୃଦ୍ଧି କରାଯିବ। ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ । ରାଜ୍ୟରେ ବିଶେଷତଃ କଟକ, ଭୁବନେଶ୍ବର ଓ ଗଞ୍ଜାମରେ ଥିବା କୋଭିଡ ଚିକିତ୍ସାଳୟରେ ଶଯ୍ୟା ଓ ଆଇ.ସି.ୟୁ ର କୌଣସି ଅଭାବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଥିଲେ।

ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହିସବୁ ସହର ମାନଙ୍କରେ ଆହୁରି ୨୦୦ ଆଇ.ସି.ୟୁ ବେଡ ସହିତ ଶଯ୍ୟା ସଂଖ୍ୟା ଆଗାମୀ ୭ ଦିନ ମଧ୍ୟରେ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି। ପୁରୀ ସହରରେ sero surveillance ସଂପୂର୍ଣ୍ଣ ହୋଇଥିବା ବେଳେ ଭୂବନେଶ୍ବରରେ community sero surveillance ସଂପୂର୍ଣ୍ଣ ହୋଇଛି । ତା ସହିତ high risk population sero surveillance ଜାରି ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସର୍ବଭାରତୀୟ ସ୍ତରରେ ସୁସ୍ଥତା ହାର ୬୩ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୬୪.୮୮ ପ୍ରତିଶତ ପହଞ୍ଚିଛି । ମୃତ୍ୟୁ ହାର ସର୍ବାଭାରତୀୟ ସ୍ତରରେ ୨.୬ ଥିବାବେଳେ, ଓଡିଶାରେ ଏହା ୦.୫ ପ୍ରତିଶତରେ ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ଯୁବ ବର୍ଗଙ୍କ ସଂଖ୍ୟା ୬୬ ପ୍ରତିଶତ ବୋଲି ଜଣାଯାଇଛି।

ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ଲାଜମା ଥେରାପୀ ଭୁବନେଶ୍ବରର ସମ୍‌, କିମ୍‌ସ ଓ କଟକର ଅଶ୍ବିନୀ ହସ୍‌ପିଟାଲରେ ଆରମ୍ଭ କରାଯିବ। SCB Medical College ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବରେ କାମ କରିବ ବୋଲି ସୂଚନା ଦିଆଯାଇଥିଲା ।

ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା କୋଭିଡ କେୟାର ହୋମ୍‌ ଏବଂ Cluster TMC ସଂପର୍କରେ ସୂଚନା ଦେଇ ପଞ୍ଚାୟତରାଜ ପ୍ରମୁଖ ସଚିବ ଦେଓ ରଂଜନ ସିିଂହ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ୬୧,୪୧୦ ଶଯ୍ୟା ବିଶିଷ୍ଟ ୬୧୨୮ଟି କୋଭିଡ କେୟାର ହୋମ ଖୋଲାଯାଇଥିବା ବେଳେ ସେଥିରେ ମାତ୍ର ୪୨୬ ଜଣ ରହିଛନ୍ତି। ସେହିପରି ୪୭୯୧୯ ଶଯ୍ୟା ବିଷିଷ୍ଟ ୧୧୮୩ Cluster TMC ଖୋଲାଯାଇଥିବା ବେଳେ ସେଗୁଡିକରେ ୧୮୧୫୩ ଜଣ ରହିଛନ୍ତି। ବିଭିନ୍ନ ସହରାଞ୍ଚଳରେ ୬୨୦୦ ଶଯ୍ୟା ବିଶିଷ୍ଟ ୧୭୫ଟି କୋଭିଡ କେୟାର ସେଣ୍ଟର ଖୋଲା ଯାଇଥିବା ବେଳେ ସେଥିରେ ବର୍ତ୍ତମାନ ୪୧ ଜଣ ଚିକିତ୍ସିତ ହେଉଛନ୍ତି। ସହରାଞ୍ଚଳରେ ୬୦ ହଜାର ଶଯ୍ୟା ବିଶିଷ୍ଟ ୮୧୪ଟି TMCରେ ୩୯୪୫ ଜଣ ରହିଛନ୍ତି ବୋଲି ଜଣାପଡିଛି ।

ଗ୍ରାମ କଲ୍ୟାଣ ସମିତି ସ୍ତରରେ ସରପଞ୍ଚ, ଆଶାକର୍ମୀ ଓ ଅଙ୍ଗନବାଡୀ କର୍ମଚାରୀଙ୍କୁ ମିଶାଇ ୫ ଲକ୍ଷରୁ ଅଧିକ କୋଭିଡ ଯୋଦ୍ଧାଙ୍କୁ ଇତି ମଧ୍ୟରେ ତାଲିମ ପ୍ରଦାନ କରାଯାଇଛି। ଏହାସହିତ ଅଣ-କୋଭିଡ ହସ୍‌ପିଟାଲରେ କାର୍ଯ୍ୟ କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ମଧ୍ୟ ସୁରକ୍ଷା ତାଲିମ ଦିଆଯାଉଛି । ସେହିପରି ପୂର୍ବରୁ TMCରେ ରହିଥିବା ୩.୨ ଲକ୍ଷ ପ୍ରବାସୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ଏବଂ ସେମାନେ Covid volunteer ଭାବରେ କାର୍ଯ୍ୟ କରିପାରିବେ।

ରାଜ୍ୟ ସରକାରଙ୍କର ନିଷ୍ପତ୍ତିକ୍ରମେ ସ୍ବଳ୍ପ ଲକ୍ଷଣଯୁକ୍ତ ରୋଗୀ ମାନଙ୍କୁ ଏଣିକି ଘରେ ରହି ଚିକିତ୍ସା ପାଇଁ ଅନୁମତି ଦିଆଯିବ। ତା ସହିତ ବିଭିନ୍ନ କର୍ପୋରେଟ ସଂସ୍ଥା ଗୁଡିକୁ ମଧ୍ୟ CCC ଖୋଲିବାକୁ ମଧ୍ୟ ଅନୁମତି ଦିଆଯିବ। ତେଣୁ ଏଗୁଡିକର ପରିଚାଳନାକୁ ଉପଯୁକ୍ତ ଭାବରେ ତଦାରଖ କରିବା ସହିତ ସେଗୁଡିକ ମଧ୍ୟ ମୋ ସରକାର ଅଧୀନରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ କୋଭିଡ ନିୟମାବଳୀର ଅନୁପାଳନକୁ କଡାକଡି କରାଯାଇଛି। ଉଲଂଘନ ପାଇଁ ସାରା ରାଜ୍ୟରେ ୬୯୧୯ଟି ମାମଲା ରୁଜୁ କରାଯାଇଛି ଏବଂ ମାସ୍କ ଉଲଂଘନ ପାଇଁ ୪.୫ କୋଟି ଟଙ୍କା ଏବଂ ସାମାଜିକ ଦୂରତ୍ବ ଉଲଂଘନ ପାଇଁ ୬୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହାଛଡା ଅନ୍ୟାନ୍ୟ ଉଲଂଘନ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଥିଲେ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ  ପଟ୍ଟନାୟକ ବିଭିନ୍ନ ଜିଲ୍ଲାର କୋଭିଡ Observer ମାନଙ୍କ ସହିତ ସେମାନଙ୍କ ଜିଲ୍ଲାରେ କୋଭିଡ ସ୍ଥିତି, ଚିକିତ୍ସା ସୁବିଧା, ପରୀକ୍ଷଣ ଓ ଗୋଷ୍ଠୀ ସମନ୍ବୟ ସଂପର୍କରେ ପଚାରି ବୁଝିଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର ବାଲ କୃଷ୍ଣନ,

, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଏବଂ ବିଭିନ୍ନ ବିଭାଗର ଶାସନ ସଚିବ ଓ କୋଭିଡ ପର୍ଯ୍ୟବେକ୍ଷକ ମାନେ ଯୋଗ ଦେଇଥିଲେ।
ଏହି  ଅବସରରେ ମୁଖ୍ୟମନ୍ତ୍ରୀ ୮୧ ବର୍ଷୀୟ ଗୋପୀନାଥଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଗୋପୀନାଥ ଡାକୁଆଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ କଥା ହୋଇ ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ପରିଣତ ବୟସରେ ସେ ଯେପରି ଦୃଢ ମନୋବଳ ଓ ଗଭୀର ଆତ୍ମବିଶ୍ବାସର ସହ କୋଭିଡର ମୁକାବିଲା କରି ସୁସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ।

କୋଭିଡ ସହ ତାଙ୍କ ସଫଳ ଲଢେଇର ଅନୁଭୂତି ଅନ୍ୟମାନଙ୍କୁ ସାହସ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।

କୋଭିଡ ଚିକିତ୍ସାଳୟରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବା ସହ ଉଚିତ ସେବା ଯତ୍ନ ଯୋଗାଇ ଦିଆଯାଇଥିବାରୁ ଡାକୁଆ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Health

ମୃତ ଯୁବକ ଫେରି ପାଇଲେ ଜୀବନ

Published

on

ଭୁବନେଶ୍ୱର: ବନ୍ଦ ହୋଇଗଲା ହୃଦଯନ୍ତ୍ର l ଚବିଶ ବର୍ଷୀୟ ଶୁଭକାନ୍ତ ସାହୁ, ଭାରତୀୟ ସୈନ୍ୟ ବାହିନୀର ଯବାନଙ୍କୁ ବୋଲି ଘୋଷଣା କରିଦେଇଥିଲେ ଡାକ୍ତର l ହେଲେ ଶୁଭକାନ୍ତ ବଞ୍ଚି ଉଠିଲେ l

ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ୱୟ, ନିଶ୍ଚିତ ମୃତ୍ୟୁ ମୁଖରୁ ଯବାନଙ୍କୁ ବଞ୍ଚାଇ ଆଣିଲେ ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳ l ଦୁଇ ଘଣ୍ଟା ପରେ ପୁନଃକାର୍ଯ୍ୟ କଲା ବନ୍ଦ ହୋଇଯାଇଥିବା ଶୁଭକାନ୍ତଙ୍କ ହୃଦୟ l

ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ବୟ ସହିତ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ଉନ୍ନତ ଏକ୍ସଟ୍ରାକୋର୍‌ପୋରାଲ୍ କାର୍ଡିଓ-ପୁଲମୋନାରୀ ରେସୁସିଟେସନ୍‌ (ଇ-ସିପିଆର୍‌) ମାଧ୍ୟମରେ ଏହି ୨୪ ବର୍ଷ ବୟସ୍କ ଆର୍ମୀ ଯବାନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି। ନୟାଗଡ଼ ରଣପୁର ଅଞ୍ଚଳରୁ ଆସିଥିବା ଏହି ଯୁବକଙ୍କର ହୃଦୟ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥିଲା। ମାତ୍ର ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳଙ୍କ ନିଷ୍ଠାପର ଉଦ୍ୟମ ଏବଂ ଚିକିତ୍ସା ଜ୍ଞାନକୌଶଳର ସଫଳ ପ୍ରୟୋଗ ଉକ୍ତ ଯବାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଛି। ଓଡ଼ିଶା ସମେତ ପୂର୍ବ ଭାରତରେ ପ୍ରଥମ କୁହାଯାଉଥିବା ଏହି ଇସିପିଆର୍‌ ପ୍ରଣାଳୀର ଚମତ୍କାର ଉପଯୋଗ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳର ସମ୍ମୀଶ୍ରଣ ତଥା ଏମ୍‌ସର ଡାକ୍ତରୀ ଦଳଙ୍କ ଅଦମ୍ୟ ପ୍ରତିବଦ୍ଧତାର ଉଦାହରଣ ସାବ୍ୟସ୍ତ ହୋଇଛି।

ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଅନନ୍ୟ କାର୍ଯ୍ୟକୁ ସଫଳ ରୂପ ପ୍ରଦାନ କରିଥିବା ଡାକ୍ତରୀ ଦଳର ପ୍ରଶଂସା କରିଛନ୍ତି। ଏମ୍‌ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୁକ୍ତ ସମନ୍ବୟ ସହିତ ଅଗ୍ରଗାମୀ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସର୍ବଦା ଆଗରେ ରହିଆସିଛି। ଜୀବନ ବଞ୍ଚାଇବା ଏବଂ ଚିକିତ୍ସା ସେବାକୁ ଆଗକୁ ନେବା ପାଇଁ ଏହା ଆମର ଉତ୍ସର୍ଗୀକୃତ ଭାବନାର ଏକ ଉଦାହରଣ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟଯେ ଜଟିଳ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଥିବା ଉପରୋକ୍ତ ଯୁବକଙ୍କୁ ଅକ୍ଟୋବର ପହିଲାରେ ଏମ୍‌ସ ଭୁବନେଶ୍ୱରକୁ ରେଫର୍ କରାଯାଇଥିଲା। ଏମ୍‌ସରେ ପହଞ୍ଚିବାର କିଛି ସମୟ ପରେ ଯୁବକ ଜଣଙ୍କ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। ଜୀବନ ବଞ୍ଚାଇବା ନିମିତ୍ତ ୪୦ ମିନିଟ୍‌ର ପ୍ରାଥମିକ ସିପିଆର୍‌ ସତ୍ତ୍ବେ ତାଙ୍କର ହୃଦୟ କାର୍ଯ୍ୟ କରିନଥିଲା। ଏପରି ଅବସ୍ଥାରେ ସାଧାରଣତଃ ଦୁଇଟି ନିଷ୍ପତି ନିଆଯାଇଥାଏ। ମୃତ୍ୟୁ ଘୋଷଣା କରିବା କିମ୍ବା ଇ-ସିପିଆର୍‌ ପ୍ରଣାଳୀ ପ୍ରୟୋଗ କରିବା। ତେବେ ଏମ୍‌ସ ଡାକ୍ତରୀ ଦଳ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଯବାନଙ୍କର ଜୀବନ ବଞ୍ଚାଇବା ନିମନ୍ତେ ନିରନ୍ତର ଉଦ୍ୟମ କରିଥିଲେ। ଏକ୍‌ମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟ୍‌ର ମାରାଥନ୍ ସିପିଆର୍‌ ପରେ ଯୁବକଙ୍କୁ ଏକ୍‌ମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ। ତେବେ ଇସିପିଆର୍‌ ଦେବାର ୪୦ ମିନିଟ୍‌ ପରେ ଯୁବକଙ୍କ ହୃଦୟ କାର୍ଯ୍ୟ ଆରମ୍ଭ କରିଥିଲା। ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା, ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକ୍‌ମୋରୁ ବାହାର କରାଯାଇଥିଲା। ଦଳଗତ ଭାବେ ଉଲ୍ଲେଖନୀୟ ପାରଦର୍ଶୀତା, ସମନ୍ୱୟ ଏବଂ ଉତ୍ସର୍ଗୀକୃତ ପ୍ରଦର୍ଶନ ମାଧ୍ୟମରେ ଏପରି ଏକ ଜଟିଳ କାର୍ଯ୍ୟ ସମ୍ପାଦନ କରି ଜଣେ ଯବାନଙ୍କ ଜୀବନ ବଞ୍ଚାଇବା ଏକ ଅନନ୍ୟ ସଫଳତା।

ପୁଅକୁ ଦ୍ବିତୀୟ ଜୀବନ ପ୍ରଦାନ କରିଥିବାରୁ ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳକୁ କୃତଜ୍ଞତା ପ୍ରଦାନ କରିଛନ୍ତି ଯବାନଙ୍କ ମା। ଏମ୍‌ସ ଡାକ୍ତରମାନଙ୍କର ଦକ୍ଷତା, କରୁଣା ଏବଂ ନିଷ୍ଠାକୁ ଆମ ପରିବାର ସବୁଦିନ ମନେରଖିବ ବୋଲି ଯବାନଙ୍କ ମା ପ୍ରକାଶ କରିଛନ୍ତି।

ଇ-ସିପିଆର୍‌ ପ୍ରଣାଳୀ ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଏବଂ ଏହାକୁ ସଫଳତାର ସହିତ ପ୍ରୟୋଗ କରିବା ଏକ ଆହ୍ବାନ। ମାତ୍ର ଆମ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ଦଳଗତ ମନୋଭାବ କାରଣରୁ ଏହା ସଫଳ ହୋଇପାରିଛି। ଏହି ସଫଳତା ଓଡ଼ିଶାର ଚିକିତ୍ସା ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ହୃଦ୍‌ଘାତର ଚିକିତ୍ସାରେ ଏକ ସମ୍ଭାବନାପୂର୍ଣ୍ଣ ପଦ୍ଧତିର ପ୍ରତିନିଧିତ୍ବ କରିବ ବୋଲି ଡ. ଶ୍ରୀକାନ୍ତ ବେହେରା ମତ ପ୍ରକାଶ କରିଛନ୍ତି।

ଏହି ପ୍ରକ୍ରିୟାରେ ଡ. କ୍ରିଷ୍ଣମୋହନ ଗୁଲା, ଡ. ସନ୍ଦୀପ କୁମାର ପଣ୍ଡା, ଡ. ସିଦ୍ଧାର୍ଥ ସାଠିଆ, ଡ. ସଙ୍ଗୀତା ସାହୁ, ଡ. ମାନସ ପାଣିଗ୍ରାହୀ, ଏମ୍‌ସିଆଇ ଏବଂ ନର୍ସିଂ ଅଧିକାରୀଙ୍କ ଭଳି ସ୍ବାସ୍ଥ୍ୟସେବା ପ୍ରଦାନକାରୀ ପ୍ରମୁଖ ସାମିଲ ଥିଲେ।

ଏହି ଅଭିନବ ସଫଳତା ପାଇଁ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଅନୁପମ ଦେ, ଡ. ରଶ୍ମିରଞ୍ଜନ ମହାନ୍ତି, ଡ. ଦେବାନନ୍ଦ ସାହୁ ପ୍ରମୁଖ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Continue Reading

Health

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିୟୋ କ୍ଲିନିକର ପ୍ରତିନିଧି: ଓଡିଶାରେ ଅତ୍ୟାଧୁନିକ କ୍ୟାନ୍‌ସର ନିରୁପଣ ଓ ଚିକିତ୍ସା ପାଇଁ ଆଲୋଚନା

Published

on

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ସବୁଠାରୁ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଲୋଚନାରୁ ଜଣା ଯାଇଛି ଯେ, କ୍ୟାନ୍‌ସର ଚିକିତ୍ସା ଅତ୍ୟଧିକ ବ୍ୟୟ ସାପେକ୍ଷ ଓ ଅନିଶ୍ଚିତ। ଡି.ଏନ୍.ଏ ଟେଷ୍ଟ ଜରିଆରେ ତୁରନ୍ତ ରୋଗ ନିରୂପଣ ସହିତ କୌଣସି ଏକ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଫଳପ୍ରଦ ହେଉଛି ବା ନାହିଁ ତାହା ମଧ୍ୟ ଖୁବ୍ ଶୀଘ୍ର ଜଣାପଡି ପାରିବ। ତେଣୁ ଓଡିଶାରେ ଏହି ନୂତନ ପଦ୍ଧତିର ପ୍ରୟୋଗ ସପକ୍ଷରେ ପ୍ରତିନିଧିମାନେ ମତ ରଖିଥିଲେ। ଏହା ଦ୍ୱାରା ରୋଗ ନିରୂପଣ ଖୁବ୍‌ ଶୀଘ୍ର ସୂଚନା ମିଳିବା ସହିତ ଫଳପ୍ରଦ ଚିକିତ୍ସା ପ୍ରଦାନ କରାଯାଇ ପାରିବ।

ସ୍ୱାସ୍ଥ୍ୟସେବା, ବିଶେଷ କରି କ୍ୟାନ୍‌ସର ଚିକିତ୍ସାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମତ ଦେଇ ଏ ସମ୍ପର୍କରେ ବିଧିବଦ୍ଧ ପ୍ରସ୍ତାବ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍. ଉପସ୍ଥିତ ଥିଲେ।

ମିୟୋ କ୍ଲିନିକ ପକ୍ଷରୁ ପ୍ରଫେସର ଦେବ ମୁଖାର୍ଜୀ, ଆମେରିକାସ୍ଥିତ ଏଲିଫାସ୍ ବାୟୋ ସାଇନ୍‌ସେସ୍ ପକ୍ଷରୁ ମିଷ୍ଟର ଚାର୍ଲସ୍ ମିଲର (Mr. Charles Miller from Elephes Bio-Sciences), ଇନ-ଡି.ଏନ୍.ଏ ଲାଇଫ୍ ସାଇନ୍‌ସର (inDNA Life Sciences) ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡ. ବିରେନ୍ ବାନାର୍ଜୀ ଓ ଏହାର ପ୍ରତିନିଧି ଦେବୀ ପ୍ରସାଦ ରଥ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ।

Continue Reading

Health

ଓଡିଶା ଆଦିବାସୀଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ଖବର: ଭୁବନେଶ୍ୱର ଆଇ.ଏଲ୍.ଏସ୍ ଆବିଷ୍କାର କରିଛି ନୂତନ ପ୍ରୋବାୟୋଟିକ

Published

on

ଭୁବନେଶ୍ୱର : ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍, ଭୁବନେଶ୍ୱରର ବୈଜ୍ଞାନିକମାନେ ଏକ ନୂତନ ପ୍ରୋବାୟୋଟିକ ଆବିଷ୍କାର କରିଛନ୍ତି।ପ୍ରୋବାୟୋଟିକହେଉଛି ଏକ ପ୍ରକାର ର ଉପକାରୀ ଅଣୁଜୀବ ଯାହା ଜୀବନ୍ତ ଅବସ୍ଥା ରେ ପର୍ଯ୍ୟାପ୍ତ ପରିମାଣରେ ସେବନ କଲେ ମଣିଷ ଏବଂ ପଶୁମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ଵନ୍ଧିତ ଉପକାର ଯୋଗାଇଥାଏ | ଏହି ନୂତନ ପ୍ରୋବୟୋଟିକ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଓ ପୁଷ୍ଟି ସନ୍ତୁଳନରେ ସହାୟକ ହେବ।

ଆଇ ଏଲ ଏସ ବାୟୋଟେକ୍ନୋଲୋଜି ଅନୁସନ୍ଧାନର ଏକ ଉତ୍କର୍ଷ କେନ୍ଦ୍ର।ଆଇ ଏଲ ଏସ, ଓଡିଶାର ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ ପୁଷ୍ଟି କୁ ଦୃଷ୍ଟିରେ ରଖି ଏକ ଅଭିନବ ଗବେଷଣା ପଦକ୍ଷେପ ଆଣିଛି। ପ୍ରାୟ ତିନି ବର୍ଷ ପୂର୍ବେ, ଆଇ.ଏଲ୍.ଏସ.ର ପୂର୍ବତନ ନିର୍ଦ୍ଦେଶକ ସ୍ଵର୍ଗତଃ ଡକ୍ଟର. ଅଜୟ ପରିଡା ଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ, ଆଦିବାସୀ ଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସମ୍ବନ୍ଧିତ ଆଇ.ଏଲ୍.ଏସ୍.ର ଏହି ଅଗ୍ରଣୀ କାର୍ଯ୍ୟକ୍ରମକୁ ସମର୍ଥନ କରିଛି | ଏହି କାର୍ଯ୍ୟକ୍ରମର ଅନ୍ତର୍ଗତ ଆଇ.ଏଲ୍.ଏସର ଏକାଧିକ ବୈଜ୍ଞାନିକମାନେ ଏହି ପ୍ରକଳ୍ପର ବିଭିନ୍ନ ଦିଗରେ ଗବେଷଣା କରୁଛନ୍ତି ଯାହାକି ଓଡିଶାର ଜନଜାତିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ |

ଏହାର ଏକ ଅଧ୍ୟୟନରେ, ଆଇ.ଏଲ୍.ଏସ୍. ଗବେଷକମାନେ ଏହି ଆଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଉପକାରୀ ଜୀବାଣୁକୁ ଅନୁସନ୍ଧାନ କରିବାକୁ ଯୋଜନା କରିଥିଲେ ।
ପ୍ରୋବାୟୋଟିକ ହେଉଛି ଏକ ପ୍ରକାର ର ଉପକାରୀ ଅଣୁଜୀବ ଯାହା ଜୀବନ୍ତ ଅବସ୍ଥା ରେ ପର୍ଯ୍ୟାପ୍ତ ପରିମାଣରେ ସେବନ କଲେ ମଣିଷ ଏବଂ ପଶୁମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ଵନ୍ଧିତ ଉପକାର ଯୋଗାଇଥାଏ | ଏହି ସହାୟକ ପ୍ରୋବାୟୋଟିକ ମାନେ ତରଳ ଝାଡ଼ା, ମେଦବହୁଳତା ଏବଂ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ପ୍ରତିରୋଧ ଏବଂ ନିୟନ୍ତ୍ରଣରେ ଉପଯୋଗୀ ବୋଲି ଜଣାଶୁଣା | ଓଡିଶା ଜନଜାତିର ଅନନ୍ୟ ଖାଦ୍ୟ ଅଭ୍ୟାସ, ସଂସ୍କୃତି ଏବଂ ପରିସଂସ୍ଥା କୁ ହୃଦୟଙ୍ଗମ କରି ଆଇ.ଏଲ୍.ଏସ.ର ବୈଜ୍ଞାନିକ ସମ୍ଭାବ୍ୟ ପ୍ରୋବୋଟିକ୍ସ କୁ ଅନୁସନ୍ଧାନ କରିବାକୁ ଯୋଜନା କରିଥିଲେ। ଏହି ପରିପ୍ରେକ୍ଷୀରେ, ଆଇ.ଏଲ୍.ଏସ୍.ର ବୈଜ୍ଞାନିକ ଡକ୍ଟର. ଶାନ୍ତିଭୂଷଣ ସେନାପତିଙ୍କ ଗବେଷଣା ଦଳ ଆଇଏଲ୍ଏସ୍ ରୁ ଏକାଧିକ ପ୍ରୋବାୟୋଟିକ କୁ ଚିହ୍ନଟ ଏବଂ ପୃଥକ କରିଛି | ନିକଟରେ ଡକ୍ଟର. ସେନାପତିଙ୍କ ଗବେଷଣା ଦଳ ଏହିପରି ଏକ ଉପଯୋଗୀ ପ୍ରୋବାୟୋଟିକ ର ପୁରା ଜିନୋମ୍ କ୍ରମ ଏବଂ ଅନ୍ୟାନ୍ୟ ପ୍ରୋବାୟୋଟିକ୍ ଗୁଣଗୁଡିକ ଅନୁସନ୍ଧାନ କରିଛନ୍ତି ଏବଂ ଏହି କାର୍ଯ୍ୟଟି “ୱାର୍ଲ୍ଡ ଜର୍ନାଲ୍ ଅଫ ମାଇକ୍ରୋବାୟୋଲୋଜି ଏଣ୍ଡ ବାୟୋଟେକ୍ନୋଲୋଜି” ରେ ପ୍ରକାଶିତ ହୋଇଛି, ଯାହାକି ଏହି କ୍ଷେତ୍ରରେ ଏକ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ପତ୍ରିକା | ଏହି ପ୍ରକାଶନର ମୁଖ୍ୟ ଗବେଷକ ଡକ୍ଟର. ଜୟଲକ୍ଷ୍ମୀ ଦାଶ ଏବଂ ମନୀଷା ସେଠୀ ଉଲ୍ଲେଖ କରିଛନ୍ତି ଯେ, ଆଉ ତିନିଟି ପ୍ରୋବାୟୋଟିକ ପାଇଁ ସମଗ୍ର ଜିନୋମ୍ କ୍ରମ ସମାପ୍ତ ହୋଇସାରିଛି ଏବଂ କ୍ରମଗୁଡିକ ଏନ.ସି.ବି.ଆଇ. ଡାଟାବେସରେ ଜମା କରାଯାଇଛି |
ଆଇ.ଏଲ୍.ଏସ୍. ନିର୍ଦ୍ଦେଶକ ଡକ୍ଟର. ପୁଲୋକ କୁମାର ମୁଖାର୍ଜୀ ଏହି ସଫଳତା ଉପରେ ନିଜର ଅଶେଷ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଭବିଷ୍ୟତରେ ଏହି ପ୍ରୋବାୟୋଟିକ ଯୁକ୍ତ ଖାଦ୍ୟର ବିକାଶ ପାଇଁ ଏହି ପ୍ରୟାସକୁ ଅଧିକ ଦିଗନ୍ତକାରୀ କରିବାକୁ ଉଲ୍ଲେଖ କରିଛନ୍ତି। ଏହି ପ୍ରୋବାୟୋଟିକ୍ସର ଉତ୍ପତ୍ତି ଓଡିଶାର ଜନଜାତିଙ୍କ ଠାରୁ ହୋଇଥିବାରୁ ଡକ୍ଟର ସେନାପତି ଆଶା କରିଛନ୍ତି ଯେ ଏହି ଜିବାଣୁମାନେ ଓଡିଶାର ଆଦିବାସୀମାନଙ୍କ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ପାଇଁ ଅଧିକ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସାମଗ୍ରିକ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ। ଜନ ନିର୍ଦ୍ଦିଷ୍ଟ ପ୍ରୋବାୟୋଟିକ ର ବିକାଶ ଦିଗରେ ଏହା ଏକ ଉତ୍ସାହଜନକ ପଦକ୍ଷେପ |

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions