ଜ୍ୟୋତି ନନ୍ଦ:
ପ୍ରଥମରୁ ଏଇ କଥାକୁ ସ୍ପଷ୍ଟ କରିଦେବାକୁ ହେବ ଯେ ଉପସ୍ଥିତ ଲେଖକ ଉଚ୍ଚାରଣ ବିଦ୍ୟାରେ ଦକ୍ଷ ନୁହଁ। ଯେଉଁ ମହାନୁଭବ ଚିନ୍ତକ ମାନେ ବିଶ୍ୱ ପର୍ଯ୍ୟଟକ ସେମାନେ ଏହାର ସଠିକ ଉଚ୍ଚାରଣ କରିପାରିବା ନିଶ୍ଚୟ ସମ୍ଭବପର ହେବ। ଯେତେବେଳ ଯାଏଁ ସେହି ମହାନୁଭବଙ୍କର ସଂଶୋଧନ ମୂଳକ ପ୍ରସ୍ତାବନା ଆମ ଭଳି ଅଜ୍ଞ ମାନଙ୍କ ନିକଟକୁ ଆସିନାହିଁ ,ସେ ପର୍ଯ୍ୟନ୍ତ ଆମକୁ ଏଇ ଭଳି ଏକ ଉଚ୍ଚାରଣ ( ଭ୍ରାମକ ହୋଇପାରେ !) ସହିତ ବସବାସ କରିବାକୁ ହେବ।
ସେ ଯାହାହେଉ ,କେହି କେହି ତାଙ୍କର ନାଆଁକୁ ଉଚ୍ଚାରଣ କରୁଛନ୍ତି,ଇୟୋନ ଫସସେ ତ କେହି କେହି କହୁଛନ୍ତି ଜୋନ ଫସସେ।
ଇୟୋନ ଫସସେ ହେଉଛନ୍ତି ଚଳିତ ବର୍ଷ ଅର୍ଥାତ୍୨୦୨୩ ର ସାହିତ୍ୟରେ ନୋବେଲ ପୁରସ୍କାର ର ପ୍ରାପକ ।
ସାହିତ୍ୟରେ ଯେଉଁମାନେ ନୋବେଲ ପୁରସ୍କାର ପାଇଥାନ୍ତି ବିଶେଷ ଭାବରେ ସେମାନଙ୍କୁ ନେଇ ସବୁବେଳେ ଆମର କୌତୁହଳ ଅଧିକ। ଆମ ଭଳି ଯେଉଁ ସ୍ୱଳ୍ପପାଠୀ କୂପମଣ୍ଡୁକ ମାନେ ରହିଛନ୍ତି ସେମାନଙ୍କ ପାଇଁ ପ୍ରତି ବର୍ଷ ଜଣକ ପରେ ଜଣେ ସାହିତ୍ୟରେ ଯେଉଁ ନୋବେଲ ପୁରସ୍କାର ର ପ୍ରାପକ ମାନେ ଆସିଥାନ୍ତି ତାଙ୍କର ଲେଖାର ପ୍ରଚାର ଏବଂ ଉପଲବ୍ଧତା ମାଧ୍ୟମରେ ବିଶ୍ୱସାହିତ୍ୟର ସମକାଳକୁ ଜାଣିବା ପାଇଁ ସହଜ ଝରକା ଟିଏ ଖୋଲିଯାଏ । ଆମେ ପ୍ରତିବର୍ଷ ସେହି ଭଳି ଚର୍ଚ୍ଚିତ ଲେଖକ ମାନଙ୍କ ମାର୍ଫତରେ ଜାଣିପାରୁ ଯେ ଅସଲରେ ଆମର ଚାରିପାଖେ କେଉଁ ଭଳି ସୃଜନ ପରିପୁଷ୍ଟ ହେଉଅଛି ।
ଅବଶ୍ୟ ସମସ୍ତଙ୍କ ପାଖରେ ଅର୍ଥାତ୍ ସମସ୍ତ ପାଠକଙ୍କ ପାଖରେ ସାହିତ୍ୟର ଶ୍ରେଷ୍ଠତାକୁ ଆକଳନ କରିବା ପାଇଁ ଏକ ପ୍ରକାର ବ୍ୟକ୍ତି ପରକ ମାପକାଠି ରହିଥାଏ । ପାଠକ ପାଖରେ ଥିବା ସେହି ଶ୍ରେଷ୍ଠତ୍ୱର ମାପକାଠି ର ସ୍ୱରୂପ ସଂପର୍କରେ ଆମେ ଅନେକ ସମୟ ଅସ୍ପଷ୍ଠ। ମୋତେ ଅମୁକ ଲେଖାଟି ଭଲ ଲାଗିଲା ବାସ୍।ତାହାପରେ ଆଉ କ’ଣ ? ତେଣୁ ଆମର ସାହିତ୍ୟରେ ଶ୍ରେଷ୍ଠତ୍ୱ ବିଚାର ର ମାପକାଠିଟି ଜାଦୁଦଣ୍ଡର “ଆବ୍ରାକାଡାବ୍ରା” ଭଳି ଉଚ୍ଚାରଣ ରେ ସଂଗୋପିତ ହୋଇ ରହିଯାଏ।
ସାହିତ୍ୟରେ ଶ୍ରେଷ୍ଠତ୍ୱ ବିଚାରକୁ ନେଇ ପରେ କେବେ ।
ସାହିତ୍ୟରେ ୨୦୨୩ ର ନୋବେଲ ପୁରସ୍କାର ଘୋଷଣା ହେବା ପରେ “ଦି ଗାର୍ଡିଆନ୍”ସଂବାଦପତ୍ରରେ ଏଲା କ୍ରେମର୍ ଙ୍କ ଇୟୋନ ଫସସେ ଙ୍କୁ ନେଇ ଯେଉଁ ସଂକ୍ଷିପ୍ତ ପ୍ରତିବେଦନଟି ପ୍ରକାଶିତ ହୋଇଛି ସେଥିରୁ ଆମେ ଏହି ସମ୍ମାନୀତ ଲେଖକଙ୍କ ସଂପର୍କରେ ସମ୍ୟକ ଧାରଣା ହାସଲ କରିପାରିବା।
ସୌଭାଗ୍ୟକୁ ଉପସ୍ଥିତ ଲେଖକର ନିକଟକୁ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଅନୁଜ ରମାକାନ୍ତ ସାମନ୍ତରାୟ ଇୟୋନ୍ ଫସସେ ଙ୍କ ଦୁଇଟି ବହିର “ମଧୁର-ପ୍ରତିଲିପି” ପ୍ରେରଣ କରିଛନ୍ତି। ତାଙ୍କୁ ଅନେକ ଅନେକ ଧନ୍ୟବାଦ।
“ଦି ଗାର୍ଡିଆନ୍” ରେ ଏଲା କ୍ରେମର ଙ୍କ ଆଲେଖଟି ଏହିପରି :
ସାହିତ୍ୟରେ ନୋବେଲ ପୁରସ୍କାର ୬୪ ବର୍ଷୀୟ ନରୱେଜିଆନ ଲେଖକ ଇୟୋନ ଫସସେ ଙ୍କୁ ପ୍ରଦାନ କରାଯାଇଛି ତାଙ୍କର ” ଅଭିନବ ନାଟକ ଏବଂ ଗଦ୍ୟ ରଚନାର ନିମନ୍ତେ ଯାହା ବସ୍ତୁତଃ ଭାଷାହୀନ ମାନଙ୍କୁ ଭାଷା ଦେଇଥାଏ।” ତାଙ୍କର ରଚନାର ମଧ୍ୟରେ ରହିଛି ଉପନ୍ୟାସ ଶୃଙ୍ଖଳା Septology,Aliss at the Fire,Melancholy,ଏବଂ A Shining ।
“ବିଭିନ୍ନ ଧରଣର ଶୈଳୀ କୁ ଧାରଣକରି ତାଙ୍କର ବିଶାଳ ସାହିତ୍ୟ ସମ୍ଭାର ରହିଛି,ପ୍ରାୟ ୪୦ ଖଣ୍ଡ ନାଟକ ଏବଂ ଅନେକ ଉପନ୍ୟାସ ,କବିତା ସଂକଳନ,ପ୍ରବନ୍ଧ,ଶିଶୁ ସାହିତ୍ୟ ଓ ଅନୁବାଦ ରହିଅଛି ” ଏ କଥା କହିଛନ୍ତି ନୋବେଲ କମିଟୀ ର ସାହିତ୍ୟ ବିଭାଗର ଚେୟାରମ୍ୟାନ ଆଣ୍ଡାର୍ସ ଅଲସନ୍। “ଫସସେ ତାଙ୍କର ନରଓୟେଜୀୟ ପୃଷ୍ଠଭୂମୀ ଓ ଭାଷାର ଉତ୍ପତ୍ତିସ୍ଥଳରେ ଉଦ୍ଭାସିତ ହୋଇ ବି ଆଧୁନିକତାବାଦର ଶିଳ୍ପ ଏବଂ ପଦ୍ଧତିଗୁଡିକୁ ବ୍ୟବହାର କରିଛନ୍ତି।”
“ମୁଁ ଭାବ ବିହ୍ୱଳ ଏବଂ ଅନେକ ପରିମାଣରେ ଆତଙ୍କିତ । ମୁଁ ଏହାକୁ ଦେଖୁଛି, ସାହିତ୍ୟ ପାଇଁ ଏପରି ଏକ ପୁରସ୍କାର ଯାହା ,ପ୍ରଥମରେ ଏବଂ ମୁଖ୍ୟତଃ, ସାହିତ୍ୟ ଲକ୍ଷ୍ୟରେ ହିଁ ଏକ ପୁରସ୍କାର,ଯାହାର ଅନ୍ୟ କୌଣସି ଭିନ୍ନ ବିଚାରଶୀଳ ଅର୍ଥ ରହିନାହିଁ।” ଫସସେ ଗୋଟିଏ ବକ୍ତବ୍ୟ ରେ ଏହିପରି କହିଛନ୍ତି।
ଏହା ସହିତ ସେ ନରଓୟେଜୀୟ ଗଣସଂଯୋଗକାରୀ ଏନଆରକେ କୁ କହିଛନ୍ତି ଯେ ସେ ପୁରସ୍କାର ପାଇବା ଘଟଣାରେରେ ଉଭୟ “ଆଶ୍ଚର୍ଯ୍ୟ ଏବଂ ଆଶ୍ଚର୍ଯ୍ୟ ନୁହଁନ୍ତି।” “ମୁଁ ଏଇଭଳି ଗୋଟିଏ ବିଚାରର ପରିସରରେ ବିଗତ ଦଶବର୍ଷ ହେଲା ରହି ଆସିଛି ଏବଂ ଏଇ ଭଳି କିଛି କେବେ ଘଟିଯିବ ବୋଲି ମୁଁ ଊଣାଅଧିକେ ନିଜକୁ ଅନେକ ଦିନ ହେଲା ପ୍ରସ୍ତୁତ କରିଆସୁଥିଲି “,ସେ କହିଛନ୍ତି।
ଫସସେ ଙ୍କ କଥାସାହିତ୍ୟର ପ୍ରକାଶକ ଜ୍ୟାକ୍ ଟେଷ୍ଟାର୍ଡ ଏଇ ଖବର ଶୁଣିବା ପରେ ନିଜର ଅଭିମତରେ କହିଛନ୍ତି,” ସେ ହେଉଛନ୍ତି ଜଣେ ଅସାଧାରଣ ଲେଖକ ଯିଏ ଉପନ୍ୟାସ ଲେଖାରେ ଗୋଟିଏ ସଂପୂର୍ଣ୍ଣ ଅନନ୍ୟ ପଦ୍ଧତିକୁ ଖୋଜି ପାଇଛନ୍ତି। ତାଙ୍କର ନରଓୟେଜୀୟ ସଂପାଦକ ସେସିଲି ସାଇନେସ୍ ସଂପ୍ରତି ଗୋଟିଏ ସାକ୍ଷାତକାରରେ କହିଛନ୍ତି ,ଯଦି ଇୟୋନ ର କୌଣସି ବହିକୁ ଖୋଲି ଜଣେ କେତୋଟି ଧାଡି ପଢିବସେ,ତାହାହେଲେ ସେ ଠିକ୍ ବୁଝିପାରିବ ଯେ ଏଇଟି ତାଙ୍କ ଛଡା ଆଉ କାହାର ଲେଖା ନୁହଁ ।
“ତାଙ୍କର ଉପନ୍ୟାସଗୁଡିକ ମନ୍ତ୍ରମୁଗ୍ଧକାରୀ,
ରହସ୍ୟମୟ ଏବଂ ସେ ଯେଉଁ ପଶ୍ଚିମୀ ଫିଅର୍ଡ ଭୂଖଣ୍ଡରେ ( ଫିଅର୍ଡ ହେଉଛି ନରଓୟେ ରେ ସମୁଦ୍ର ଆଡକୁ ଯାଉଥିବା ସଂକୀର୍ଣ୍ଣ ପଥ ଯାହାର ଦୁଇପଟେ ପର୍ବତମାନ ଓହଳି ରହିଥାନ୍ତି )ବସବାସ କରୁଛନ୍ତି ତାହାର ସବିଶେଷ ଚିତ୍ର ଦେଖିବାକୁ ମିଳେ।” ଟେଷ୍ଟାର୍ଡ କହନ୍ତି।” ଏହା ସହିତ ଏଇ କଥା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ସେ “ନିଉ ନରଓୟେଜିଆନ” ବା “ନିଉନରସ୍କ” ଭାଷାରେ ଲେଖିଥାନ୍ତି ଯାହା ନରଓୟେ ର ଗୋଟିଏ ସଂଖ୍ୟାଲଘୁ ଭାଷା,ଏପରି କାମ ଆପଣାଆପେ ଏକ ରାଜନୈତିକ କାର୍ଯ୍ୟ। ସେ ଜଣେ ଅସାଧାରଣ ନାଟ୍ୟକାର ଏବଂ କବି ବି। ଏହା ସହିତ ସେ ଅସାଧାରଣ ମନଃଶକ୍ତି ର ଅଧିକାରୀ ,ତାଙ୍କଠାରୁ ଉପଯୁକ୍ତ ଭଦ୍ରବ୍ୟକ୍ତିତ୍ୱ ଆଉ କେହି ହୁଏତ ହୋଇପାରିବେ ନାହିଁ।”
୧୯୫୯ ସାଲ ରେ ନରଓୟେର ପଶ୍ଚିମ ଉପକୂଳରେ ହାଉଗେସୁଣ୍ଡ ରେ ଜନ୍ମଗ୍ରହଣ କରିଥିବା ଫସସେ ଷ୍ଟ୍ରାଣ୍ଡେବାର୍ମରେ ବଡ ହୋଇଛନ୍ତି। ମାତ୍ର ସାତ ବର୍ଷ ବୟସରେ ଗୋଟିଏ ଦୁର୍ଘଟଣାରେ ତାଙ୍କର ପ୍ରାୟ ମୃତପ୍ରାୟ ଅବସ୍ଥା ,ଯାହାକୁ ସେ ନିଜର ଶିଶୁପ୍ରାପ୍ତିର
” ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭିଜ୍ଞତା” ହିସାବରେ ଉଲ୍ଲେଖ କରିଛନ୍ତି ଏବଂ ଏହା ହିଁ ତାଙ୍କୁ ଭବିଷ୍ୟତରେ ଜଣେ ଶିଳ୍ପୀ ହିସାବରେ “ଗଢି ତୋଳିଛି।” ତାଙ୍କର କିଶୋର ବୟସରେ ସେ ଜଣେ ଗୀଟାରବାଦକ ହେବାର ସ୍ୱପ୍ନ ଦେଖିଛନ୍ତି ,ତାହାପରେ ତାଙ୍କର ଆଗ୍ରହ ଲେଖାଲେଖି ଆଡକୁ ଢଳିଥାଏ ।
ତାଙ୍କର ପ୍ରଥମ ଉପନ୍ୟାସ “Raudt,svet”
(ଲାଲ୍,କଳା ) ୧୯୮୩ ରେ ପ୍ରକାଶିତ ହୁଏ । ତାଙ୍କର ପ୍ରଥମ ଅଭିନୀତ ନାଟକ Og aldri skal vi skiljast (” ଆଉ ଆମେମାନେ କେବେ ଅଲଗା ହେବାନି”) ୧୯୯୪ ମସିହାରେ ବାର୍ଗେନ ର ଜାତୀୟ ନାଟ୍ୟଶାଳାରେ ମଞ୍ଚସ୍ଥ କରାହୁଏ।ତେବେ ,ସେ ଯେଉଁ ପ୍ରଥମ ନାଟକ ଲେଖିଥିଲେ Nokon kjem til a komme
(” କିଏ ଆସିବାକୁ ଅଛି “) ତାହାକୁ ୧୯୯୯ରେ ଫରାସୀ ପରିଚାଳକ କ୍ଲଦ ରେଜି ନାଣ୍ଟେ ଠାରେ ମଞ୍ଚସ୍ଥ କରାଇ ତାଙ୍କ ପାଇଁ ପ୍ରଚୁର ଖ୍ୟାତି ଆଣି ପାରିଥିଲେ।
ଫସସେ ୩୦ ରୁ ବେଶି ନାଟକ ଲେଖିଛନ୍ତି,ସେଗୁଡିକ ଭିତରେ ରହିଛି Nammet (“ନାମ”),Vinter (“ଶୀତ”)
Ein sommars dag (” ଗୋଟିଏ ଗ୍ରୀଷ୍ମର ଦିନ “)। ତାଙ୍କର ବୃହତ୍ତର କାମ ଭିତରେ ରହିଛି Septology ଟ୍ରିଲଜି ,ଯାହାର ତୃତୀୟ ଖଣ୍ଡ ୨୦୨୨ ରେ ଆନ୍ତର୍ଜାତିକ ବୁକର ପୁରସ୍କାର ର ଦାବୀଦାର ଥିଲା।
ନାଟ୍ୟଲେଖନ ରୁ ଟିକିଏ ବିରତି ର ପରେ ୨୦୧୩ ମସିହାରେ କ୍ୟାଥଲିକ ଧର୍ମ ଗ୍ରହଣ ର ପରେ ଫସସେ Septology ଲେଖିବାକୁ ଆରମ୍ଭ କରନ୍ତି । ଏଇଟି ନରଓୟେ ର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକା ବସବାସରତ ଜଣେ ବୃଦ୍ଧ ଶିଳ୍ପୀ ଆସଲ୍ ର କଥା । ଆସଲ୍ ନିଜର ଜୀବନକୁ ଯେମିତି ଫେରି ଦେଖୁଛି,ସେଇ କଥାକୁ ଲେଖିବସନ୍ତି ସେ। ସେଠାରେ ସେଇ ବିୟୋର୍ଗଭିନ୍ ଇଲାକାରେ ରହୁଛି ଆଉ ଜଣେ ଆସଲ୍,ଯିଏ ଜଣେ ଶିଳ୍ପୀ,ସେ କିନ୍ତୁ ମଦ୍ୟପାନଜନୀତ ସମସ୍ୟା କୁ ଭୋଗୁଅଛି । ଏହି ଦ୍ୱିରୂପ ବ୍ୟକ୍ତି ମୃତ୍ୟୁ,ବିଶ୍ୱାସ ଏବଂ ପ୍ରେମ ସଂପର୍କରେ ଗୋଟିଏ ଚିରାଚରିତ ପ୍ରଶ୍ନରେ ଆଚ୍ଛନ୍ନ ରହିଛନ୍ତି।
୧୯୮୯ରେ ଫସସେଙ୍କ Nauster (“ବୋଟ ହାଉସ୍”) ପ୍ରକାଶିତ ହେବାର ବର୍ଷ ସେ ହରଡାଲାଣ୍ଡ ରାଇଟିଂ ଏକାଡେମୀ ରେ ଅନ୍ୟ ଜଣେ ନରଓୟେଜୀୟ ଲେଖକ କାର୍ଲ ଓଭେ କ୍ଲାଉସଗାର୍ଡ ଙ୍କୁ ଶିକ୍ଷା ଦେଇଥାନ୍ତି,ସେତେବେଳକୁ ସେ ସେଠାରେ ଜଣେ ଛାତ୍ର ଥିଲେ। ବର୍ତ୍ତମାନ ସମୟର ଅନ୍ୟତମ ଶ୍ରେଷ୍ଠ ସେଇ ନରଓୟେଜୀୟ ଲେଖକ କାର୍ଲ ଓଭେ କ୍ଲାଉସଗାର୍ଡ ଫସସେ ଙ୍କ ସଂପର୍କରେ ୨୦୧୯ ରେ ଏକ ଆଲୋଚନାରେ ଲେଖିଛନ୍ତି ,” ଫସସେ ଯାହା ଲେଖନ୍ତୁ ନା କାହିଁକି,ସେଇଠି ତାଙ୍କର ସ୍ୱର ଥିବ,କଦାପି ଅନୁପସ୍ଥିତ ରହିବ ନାହିଁ।”